ମେକ୍ସିକୋ ସିଟି : ମେକ୍ସିକା ଏବେ ତତଲା କଡ଼େଇ ପାଲଟିଯାଇଛି। କିଛିଦିନ ହେଲା ତାପମାତ୍ରା ୫୦ ଡିଗ୍ରିରେ ପହଞ୍ଚିଥିବା ବେଳେ ଏଭଳି ଭୟାନକ ତାପ ଲହରିକୁ ଲୋକେ ପ୍ରଥମ ଥର ପାଇଁ ସାମ୍ନା କରୁଥିବାରୁ ଡହଳ ବିକଳ ହେଉଛନ୍ତି। ଅସହ୍ୟ ଗରମ ଯୋଗୁଁ ମେକ୍ସିକୋରେ ସପ୍ତାହକ ମଧ୍ୟରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ମେକ୍ସିକୋରେ ଲଗାତାର ୩ ସପ୍ତାହ ଧରି ଗ୍ରୀଷ୍ମଲହରି ଜାରି ରହିବା ଅତ୍ୟନ୍ତ ଅସ୍ବାଭାବିକ ବୋଲି କୁହାଯାଉଛି। ଅତ୍ୟଧିକ ତାପମାତ୍ରା ଯୋଗୁଁ ଜୁନ୍‌ ୧୮ରୁ ୨୪ ମଧ୍ୟରେ ଅଧିକାଂଶ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Advertisment

ତେବେ ଗତବର୍ଷ ଏହି ସମୟରେ କେବଳ ଗୋଟିଏ ମୃତ୍ୟୁ ହୋଇଥିଲା। ସମସ୍ତ ମୃତ୍ୟୁ ଅଂଶୁଘାତ ଏବଂ ଡିହାଇଡ୍ରେସନ ଯୋଗୁଁ ହୋଇଛି। ଜୁଲାଇ ୧୨ରୁ ୨୫ ମଧ୍ୟରେ ମେକ୍ସିକୋରେ ୧ ହଜାରରୁ ଅଧିକ ଅଂଶୁଘାତଜନିତ ଏମର୍ଜେନ୍ସି ସୃଷ୍ଟି ହୋଇଛି। ମେକ୍ସିକୋ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ପ୍ରବଳ ଗରମ ଯୋଗୁଁ ‌ମେକ୍ସିକୋରେ ୧୨୨ ଜଣଙ୍କ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ମେକ୍ସିକୋରେ ଏପ୍ରିଲ ୧୪ରୁ ମେ’ ୩୧ ମଧ୍ୟରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଅସ୍ବାଭାବିକ ତାପମାତ୍ରାକୁ ନେଇ ମେକ୍ସିକୋରେ ଲୋକେ ଆତଙ୍କିତ ହୋଇପଡ଼ିଥିବା ବେଳେ ଗ୍ରୀଷ୍ମଲହରି ଆହୁରି ସପ୍ତାହେ ଜାରି ରହିବ ବୋଲି ଆକଳନ କରାଯାଇଛି।