ନୂଆଦିଲ୍ଲୀ: ଆମେରିକାର ମ୍ୟାରିଲ୍ୟାଣ୍ଡରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ଘରକୁ ୧୦୦ରୁ ଅଧିକ ସାପ ଘେରି ଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଜାନୁଆରି ୧୯ ତାରିଖ ସନ୍ଧ୍ୟା ୬ଟାରେ ଘଟିଥିବା କୁହାଯାଉଛି। ପାଖଆଖରେ ରହୁଥିବା ଲୋକମାନେ ଏହି ଘଟଣାର ସୂଚନା ପୁଲିସକୁ ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
ପୁଲିସ ସହିତ ଘଟଣାସ୍ଥଳରେ ଜରୁରୀକାଳିନ ମେଡିକାଲ ସର୍ଭିସ (ଇଏମଏସ) ଓ ଦମକଳର ଟିମ ପହଞ୍ଚିଥିଲେ। ଘଟଣାସ୍ଥଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା। ଏହି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ନଥିଲା।
ଚାଲର୍ସ କାଉଣ୍ଟି ସୋରିଫର କାର୍ଯ୍ୟାଳୟ ପକ୍ଷରୁ ଏହି ଘଟଣାକୁ ନେଇ ଏକ ପ୍ରେସ ରିଲିଜ ଜାରି କରାଯାଇଛି। ଏଥିରୁ ଜଣାପଡ଼ିଛି କି ପୁଲିସ ଉକ୍ତ ମୃତବ୍ୟକ୍ତିଙ୍କ ଘର ଚାରିପଟେ ୧୦୦ରୁ ଅଧିକ ସାପ ଥିବା ଦେଖିବାକୁ ପାଇଥିଲା। ଚାଲର୍ସ କାଉଣ୍ଟି ସୋରିଫର ସଦସ୍ୟ ଏହି ସାପଗୁଡ଼ିକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ଆନିମଲ କଣ୍ଟ୍ରୋଲ ପ୍ରବକ୍ତା ଜେନିଫର ହେରିସ କହିଛନ୍ତି, ପାଖାପାଖି ୧୨୫ଟି ସାପ ଉକ୍ତ ବ୍ୟକ୍ତିଙ୍କ ଘର ଚାରିପଟେ ଥିଲା। ତେବେ ଆମେରିକାରେ ଏତେ ସଂଖ୍ୟାରେ ସାପ ଦେଖାଯିବା ଘଟଣା ସେ ଗତ ତିରିଶ ବର୍ଷ ମଧ୍ୟରେ ଦେଖିନାହାନ୍ତି କି ଶୁଣି ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/395B1C7500000578-3836522-image-a-82_1476372282578.jpg)