୨୪ ଘଣ୍ଟାରେ ୧୦ ହଜାରରୁ ଅଧିକ ଆରୋଗ୍ୟ, ସଂକ୍ରମଣ ମାମଲା ୪ ଲକ୍ଷ ୪୦ ହଜାର ଟପିଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ୪ ଲକ୍ଷ ୪୦ ହଜାର ଟପିଯାଇଛି। ବିଶ୍ବର ଅନ୍ୟ ପ୍ରଭାବିତ ରାଷ୍ଟ୍ରମାନଙ୍କ ଭଳି ଭାରତରେ ମଧ୍ୟ ଉଭୟ କରୋନା ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪ ହଜାର ୯୩୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩୧୨ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିଲେ ମଧ୍ୟ ଆରୋଗ୍ୟଙ୍କ ସଂଖ୍ୟା ବି ବଢ଼ୁଛି। ୪ ଘଣ୍ଟା ମଧ୍ୟରେ ୧୦ ହଜାର ୯୯୪ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୫୬.୩୮ ପ୍ରତିଶତରେ ପହଞ୍ଚିଛି।

ଏଯାବତ୍‌ ଦେଶରେ ୨ ଲକ୍ଷ ୪୮ ହଜାର ୧୮୯ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ୧ ଲକ୍ଷ ୭୮ ହଜାର ୧୪ଟି ସକ୍ରିୟ ମାମଲା ରହିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ୩୧୨ ମୃତ୍ୟୁରୁ ମହାରାଷ୍ଟ୍ରରେ ସର୍ବାଧିକ ୧୧୩, ଦିଲ୍ଲୀରେ ୫୮, ତାମିଲନାଡ଼ୁରେ ୩୭, ଗୁଜରାଟରେ ୨୧, ଉତ୍ତରପ୍ରଦେଶରେ ୧୯ ଏବଂ ପଶ୍ଚିମବଙ୍ଗରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ଲଗାତାର ୩୭ ଦିନ ଧରି ସଂକ୍ରମଣ ମାମଲା ପ୍ରତିଦିନ ୨ ହଜାରରୁ ଅଧିକ ରହୁଛି। ଏହି ସମୟ ମଧ୍ୟରେ ମହାରାଷ୍ଟ୍ରରେ ପ୍ରାୟ ୧୩ ଦିନ ଧରି ସଂକ୍ରମଣ ମାମଲା ୩ ହଜାରରୁ ଅଧିକ ଥିଲା। ମହାରାଷ୍ଟ୍ରରେ ମୋଟ୍‌ ସଂକ୍ରମଣ ମାମଲା ୧ ଲକ୍ଷ ୩୩ ହଜାର ୭୯୬ରେ ପହଞ୍ଚିଥିବା ବେଳେ ୬ ହଜାର ୨୮୩ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ସଂକ୍ରମଣ ମାମଲା ୬୨ ହଜାର ୬୫୫ ଥିବାବେଳେ ତାମିଲନାଡ଼ୁରେ ୬୨ ହଜାର ୮୭ ରହିଛି।

ସମ୍ବନ୍ଧିତ ଖବର