ଲଣ୍ଡନ: ଲଣ୍ଡନରେ 'ୟୁନାଇଟ୍ ଦି କିଙ୍ଗଡମ୍' ନାମକ ଏକ ରାଲିରେ ୧ ଲକ୍ଷରୁ ଅଧିକ ଲୋକ ବାହାରିଥିଲେ। ଏହାର ନେତୃତ୍ୱ ନେଇଥିଲେ ପ୍ରବାସୀ ବିରୋଧୀ ନେତା ଟମି ରବିନସନ୍। ଏହି ପ୍ରବାସୀ ବିରୋଧୀ ରାଲିକୁ ବ୍ରିଟେନର ସବୁଠାରୁ ବଡ଼ ଦକ୍ଷିଣପନ୍ଥୀ ରାଲି ବୋଲି ବିବେଚନା କରାଯାଉଛି। ଲଣ୍ଡନର ହ୍ୱାଇଟ୍ ହଲ୍ ନିକଟରେ ପ୍ରଦର୍ଶନକାରୀ ଏବଂ ପୁଲିସ ମଧ୍ୟରେ ମଧ୍ୟ ସଂଘର୍ଷ ହୋଇଥିଲା। ଯେଉଁଥିରେ ୨୬ ଜଣ ପୁଲିସ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ୟୁନିଟ୍ ଦି କିଙ୍ଗଡମ୍ ମାର୍ଚ୍ଚ ସମୟରେ, ଲଣ୍ଡନର ହ୍ୱାଇଟ୍ହଲ୍‌ରେ ଷ୍ଟାଣ୍ଡ ଅପ୍ ଟୁ ରେସିଜିମ୍ ନାମକ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଚାଲିଥିଲା, ଯେଉଁଥିରେ ୫,୦୦୦ ଲୋକ ସାମିଲ ହୋଇଥିଲେ। ପୁଲିସ ହ୍ୱାଇଟ ହଲ୍‌ରେ ସମବେତ ହୋଇଥିବା ୫,୦୦୦ ପ୍ରଦର୍ଶନକାରୀଙ୍କୁ ଭିଡ଼ରୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲା। ଏହାକୁ ନେଇ ସଂଘର୍ଷ ଆରମ୍ଭ ହୋଇଥିଲା।

ଅନେକ ପୁଲିସ କର୍ମଚାରୀଙ୍କ ଦାନ୍ତ ଭାଙ୍ଗି ଯାଇଥିବାବେଳେ କେତେକଙ୍କର  ନାକ ଫାଟି ରକ୍ତ ବାହାରିଥିଲା। କିଛି ପୁଲିସଙ୍କର ମୁଣ୍ଡରେ ଆଘାତ ଲାଗିଥିଲା। ହିଂସାରେ ସାମିଲ ଥିବା ୨୫ ଜଣଙ୍କୁ ଗିରଫ କରାଯାଇଛି। ପୁଲିସ ଦଙ୍ଗାରେ ସାମିଲ ଥିବା ଅନ୍ୟ ଲୋକଙ୍କୁ ମଧ୍ୟ ଚିହ୍ନଟ କରିବା ଜାରି ରଖିଛି।


ପ୍ରଦର୍ଶନକାରୀମାନେ ବ୍ରିଟେନରେ ବେଆଇନ ପ୍ରବାସୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି। ସେମାନେ ଦାବି କରୁଛନ୍ତି ଯେ,  ବେଆଇନ ପ୍ରବାସୀମାନଙ୍କୁ ଦେଶରୁ ବାହାର କରିଦିଆଯାଉ। ଚଳିତ ବର୍ଷ, ୨୮ ହଜାରରୁ ଅଧିକ ପ୍ରବାସୀ ଇଂଲିଶ୍ ଚ୍ୟାନେଲ ଦେଇ ଡଙ୍ଗା ଯୋଗେ ବ୍ରିଟେନରେ ପହଞ୍ଚିଛନ୍ତି। ପ୍ରତିବାଦରେ ସାମିଲ ଲୋକମାନେ ବେଆଇନ ପ୍ରବାସୀମାନଙ୍କୁ ଆଶ୍ରୟ ଦେବା ବିରୋଧରେ ସ୍ଲୋଗାନ ଦେଇଥିଲେ। ସମ୍ପ୍ରତି, ଜଣେ ଇଥିଓପିଆନ୍ ପ୍ରବାସୀ ଜଣେ ୧୪ ବର୍ଷୀୟା ଝିଅକୁ ଯୌନ ନିର୍ଯାତନା ଦେଇଛନ୍ତି, ଯାହା ଲୋକଙ୍କ କ୍ରୋଧକୁ ଆହୁରି ବଢ଼ାଇ ଦେଇଛି। ସରକାର ଏବଂ ପୁଲିସ ବେଆଇନ ପ୍ରବାସୀଙ୍କୁ ରୋକିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି।


ଏହି ପ୍ରତିବାଦ ଯୋଗୁ ପ୍ରବାସ ନିୟମ ଉପରେ ରାଜନୈତିକ ଆଲୋଚନା ପୁଣି ଥରେ ତୀବ୍ର ହୋଇଛି।ବେଆଇନ ପ୍ରବାସକୁ ରୋକିବା ପାଇଁ କଠୋର ନିଷ୍ପତ୍ତି ନେବା ପାଇଁ ସରକାରଙ୍କ ଉପରେ ଚାପ ପଡ଼ିଛି। ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହି ପ୍ରସଙ୍ଗରେ ନିଜସ୍ୱ ରଣନୀତି ପ୍ରସ୍ତୁତ କରୁଛନ୍ତି। ଯଦି ସରକାର ପ୍ରବାସ ନୀତି ସମ୍ପର୍କରେ କୌଣସି ଠୋସ୍ ନିଷ୍ପତ୍ତି ନ ନିଅନ୍ତି, ତେବେ ଭବିଷ୍ୟତରେ ଆହୁରି ବଡ଼ ପ୍ରତିବାଦ ହୋଇପାରେ ବୋଲି ବିଶେଷଜ୍ଞ ମତ ପୋଷଣ କରିଛନ୍ତି।


ଟମି ରବିନସନ୍ ବ୍ରିଟେନର ସବୁଠାରୁ ପ୍ରଭାବଶାଳୀ କିନ୍ତୁ ବିବାଦୀୟ ଦକ୍ଷିଣପନ୍ଥୀ ନେତାମାନଙ୍କ ମଧ୍ୟରୁ ଜଣେ। ତାଙ୍କର ପ୍ରକୃତ ନାମ ଷ୍ଟିଭେନ କ୍ରିଷ୍ଟୋଫର ୟାରୱେଲ। ସେ ମୁଖ୍ୟତଃ ତାଙ୍କର ପ୍ରବାସ ବିରୋଧୀ ଏବଂ ଇସଲାମ ବିରୋଧୀ କାର୍ଯ୍ୟକଳାପ ପାଇଁ ଜଣାଶୁଣା।