ଜେଲ୍‌ ଦୋଷରୁ ବର୍ତ୍ତିବାକୁ ‘ଜେଲ୍‌’:ବର୍ଷକୁ ଆସୁଛି ଡଜନେରୁ ଅଧିକ ଆବେଦନ

o କୁଣ୍ଡଳୀ ଯାଞ୍ଚ ପରେ ରହିବାକୁ ଅନୁମତି oଜିଲ୍ଲା ମାଜିଷ୍ଟ୍ରେଟ୍‌ ଦେଉଛନ୍ତି ମଂଜୁରି

ଲକ୍ଷ୍ନୌ: କୁଣ୍ଡଳୀ ବା ଜାତକରେ ଦୋଷ ଥିଲେ ଲୋକମାନେ ବିଭିନ୍ନ ପୂଜାର୍ଚ୍ଚନା କରି ଏଥିରୁ ବର୍ତ୍ତିବାକୁ ଯଥାସାଧ୍ୟ ପ୍ରୟାସ କରିଥାନ୍ତି। ଏଥିପାଇଁ ବିଭିନ୍ନ କଷ୍ଟ ସ୍ୱୀକାର କରିବାକୁ ମଧ୍ୟ ଆଗେଇ ଆସନ୍ତି। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏବେ ଲୋକମାନେ ସେମାନଙ୍କ କୁଣ୍ଡଳୀରେ ଥିବା ଦୋଷକୁ ଛଡ଼ାଇବା ପାଇଁ କଠିନ ରାସ୍ତା ଆପଣାଉଛନ୍ତି। ଅନ୍ୟମାନଙ୍କୁ ଅଡୁଆ ଲାଗିଲେ ବି ସେମାନେ ପଛଘୁଞ୍ଚା ନଦେଇ ଏଭଳି ରାସ୍ତା ବାଛୁଛନ୍ତି। ସୂଚନା ଅନୁସାରେ, ଲକ୍ଷ୍ନୌର ଲୋକମାନେ ସେମାନଙ୍କ କୁଣ୍ଡଳୀରେ ଥିବା ‘ଜେଲ୍‌ ଯୋଗ’କୁ ପ୍ରତିହତ କରିବା ପାଇଁ ‘ଜେଲ୍‌’କୁ ହିଁ ବାଛୁଛନ୍ତି। ଭବିଷ୍ୟତରେ କୌଣସି ବଡ଼ ଅପରାଧ ଘଟାଇ ଦୀର୍ଘଦିନ ଧରି ଜେଲ୍‌ରେ ରହିବା ଅପେକ୍ଷା ଜେଲ୍‌ରେ କିଛି ସମୟ ବିତାଇ ଏଭଳି ସମ୍ଭାବ୍ୟ ବଡ଼ ଅପରାଧକୁ ଏଡ଼ାଇବା ଶ୍ରେୟସ୍କର ବୋଲି ସେମାନେ ବିଚାର କରୁଛନ୍ତି।
ଆଇନ ଦୃଷ୍ଟିରୁ ଏହା ଗ୍ରହଣୀୟ ହୋଇନଥିଲେ ବି ଜିଲ୍ଲା ପ୍ରଶାସନ ଏଭଳି ‘ଅସ୍ଥାୟୀ ଜେଲ୍‌ ରହଣି’କୁ ଅନୁମତି ଦେଉଛି। ଏଭଳି ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ୩୮ ବର୍ଷୀୟ ବ୍ୟବସାୟୀ ରମେଶ ସିଂହ ମଧ୍ୟ ନିଜ କୁଣ୍ଡଳୀ ଧରି ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅତିକମ୍‌ରେ ୨୪ ଘଣ୍ଟା ଥାନାରେ ରହିବାକୁ ଅନୁମତି ଦେବାକୁ ସେ କାକୁତିମିନତି କରିଥିଲେ। ଜେଲ୍‌ର ଆଦବ କାଇଦା ମାନିବା ସହିତ ଜେଲ୍‌ରେ ଦିଆଯାଉଥିବା ଖାଦ୍ୟ ଖାଇବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ। ଏହାପରେ ତାଙ୍କୁ ଜେଲ୍‌ରେ ରହିବାକୁ ଅନୁମତି ମିଳିଥିଲା।
କେବଳ ରମେଶ ନୁହନ୍ତି, ଏମିତି ଅନେକ ଲୋକ ନିଜ ‘ଜେଲ୍‌ ଯୋଗ’ରୁ ବର୍ତ୍ତିବା ପାଇଁ ଏଭଳି ପଦକ୍ଷେପ ନେଉଛନ୍ତି। ପ୍ରତିବର୍ଷ ଡଜନେରୁ ଊର୍ଧ୍ୱ ଲୋକ ଏଭଳି ଭାବେ ଜେଲ୍‌ରେ ୨୪ରୁ ୪୮ ଘଣ୍ଟା ରହି ଘରକୁ ଫେରୁଛନ୍ତି। ଏ ସଂକ୍ରାନ୍ତରେ ରମେଶ କୁହନ୍ତି, ‘‘ମୋ କୁଣ୍ଡଳୀ (ଜାତକ)ରେ ଜେଲ୍‌ ଦୋଷ ଥିବା ପରିବାରର ଜ୍ୟୋତିଷ କହିବା ପରେ ଘର ଲୋକ ବିବ୍ରତ ହୋଇପଡ଼ିଥିଲେ। କିନ୍ତୁ ଏହାର ନିରାକରଣ ଥିବା ଜ୍ୟୋତିଷ ଦର୍ଶାଇଥିଲେ। ତାଙ୍କ ପରାମର୍ଶ ଅନୁସାରେ ଜେଲ୍‌ରେ ରହିବାକୁ ଆସିଥିଲି। ଜୀବନରେ କୌଣସି ଅପରାଧରେ ମୁଁ ଫସିବାକୁ ଚାହୁନାହିଁ।’’ ତେବେ ଚଳିତବର୍ଷ ଏପ୍ରିଲ୍‌ରେ ରମେଶ ନିଜ କୁଣ୍ଡଳୀର ଏକ ନକଲ ଧରି ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ପହଞ୍ଚିଥିଲେ ଏବଂ ତାଙ୍କୁ ଅନୁମତି ମିଳିଥିଲା।
ଲକ୍ଷ୍ନୌ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ କହିବାନୁଯାୟୀ, ଲୋକମାନେ ଜେଲ୍‌ରେ ରହିବା ପାଇଁ ଆମକୁ ଅନୁରୋଧ କରୁଛନ୍ତି। ପ୍ରତିବର୍ଷ ଏଭଳି ଡଜନେରୁ ଅଧିକ ଆବେଦନ ଆସୁଛି। ଆଇନ ବ୍ୟବସ୍ଥାରେ ଏହାକୁ ଅନୁମତି ନଥିଲେ ହେଁ ଆମେ ବିନା ଅପରାଧରେ ଲୋକଙ୍କୁ ଜେଲ୍‌ରେ ରହିବାକୁ ଅନୁମତି ଦେଉଛୁ। ଆମେ ମଧ୍ୟ ଚାହୁଛୁ ସେମାନେ ଭବିଷ୍ୟତରେ କୌଣସି ବଡ଼ ଅପରାଧରେ ସଂଶ୍ଳିଷ୍ଟ ନହୁଅନ୍ତୁ। ତେବେ କୁଣ୍ଡଳୀକୁ ଭଲ ଭାବେ ଯାଞ୍ଚ ପରେ ଲୋକଙ୍କୁ ଜେଲ୍‌ରେ ରହିବାକୁ ସୁଯୋଗ ଦିଆଯାଉଛି।
ରମେଶଙ୍କ ଭଳି ଜେଲ୍‌ରେ ରହି ଫେରିଥିବା ଅଙ୍କିତ୍‌ ଚତୁର୍ବେଦୀ କୁହନ୍ତି, ଜେଲ୍‌ରେ ୨୪ ଘଣ୍ଟା ରହିବା ପରେ ଜୀବନର ମାନେ କ’ଣ ଜାଣିଲି। ମୁଁ ଜେଲ୍‌ ମଧ୍ୟରେ ଜଣେ ଅନ୍ତେବାସୀ ଭାବେ ଚଟାଣରେ ଶୋଇଲି ଏବଂ ସେଠାକାର ଖାଦ୍ୟ ଖାଇଲି। ଏହା ସହଜ ନଥିଲା। କେମିତି ୨୪ ଘଣ୍ଟା ବିତିବ, ସେଇ ଚିନ୍ତାରେ ଥିଲି। ପିତାମାତାଙ୍କୁ ଭେଟିବା ପରେ କାନ୍ଦି ପକାଇଥିଲି। ଜେଲ୍‌ରେ ରହିବାଠାରୁ ବଡ଼ ଦୁଃଖ କିଛି ନାହିଁ ବୋଲି ସେ କହିଛନ୍ତି। ତେଣୁ ଭବିଷ୍ୟତରେ କୌଣସି ଅପରାଧରେ ଯେମିତି ସାମିଲ ନହୁଏ, ସେ ଦିଗରେ ଧ୍ୟାନ ଦେବି। ଜ୍ୟୋତିଷଙ୍କ ସୂଚନା ଅନୁସାରେ, ଏଭଳି ପନ୍ଥା ଅବଲମ୍ବନ କରି ଜେଲ୍‌ ଯୋଗରୁ ନିସ୍ତାର ପାଇହେବ। ଏହାଦ୍ୱାରା ଲୋକଙ୍କୁ ଏକ ଶିକ୍ଷା ମଧ୍ୟ ମିଳିବ ବୋଲି ସେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର