ଜେନେଭା: ବିଶ୍ବବ୍ୟାପୀ କରୋନାଭାଇରସ୍ ସ୍ଥିତି ଅତି ଭୟଙ୍କର ରୂପ ନେଉଛି। ପୂର୍ବ ଏସିଆ ପରେ ୟୁରୋପ୍ ଭାଇରସ୍ର କେନ୍ଦ୍ରସ୍ଥଳ ଥିଲା । ୟୁରୋପ୍ରେ ସ୍ଥିତି ସୁଧୁରୁଥିଲେ ମଧ୍ୟ ବୈଶ୍ବିକସ୍ତରରେ ସଂକ୍ରମଣ ଅତି ଭୟଙ୍କର ରୂପ ନେଇଛି। ଏଭଳି ସ୍ଥିତିରେ କୌଣସି ରାଷ୍ଟ୍ର ଭାଇରସ୍ ନିୟନ୍ତ୍ରଣ କରିଥିବା ନେଇ ଆତ୍ମସନ୍ତୋଷ ପ୍ରକାଶ କରିବା ଅନୁଚିତ୍। କରୋନା ମୁକାବିଲା ଏବଂ ନିୟନ୍ତ୍ରଣ ଦିଗରେ ଅଧିକରୁ ଅଧିକ ସଚେତନ ହେବାପାଇଁ ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଟେଡ୍ରସ୍ ଆଧାନମ୍ ଜେନେଭାରେ ଏକ ଭର୍ଚୁଆଲ୍ କନଫରେନ୍ସରେ କହିଛନ୍ତି। ଗତ ୧୦ ଦିନ ମଧ୍ୟରେ ଲଗାତାର ୯ ଦିନ ଧରି ମାମଲା ୧ ଲକ୍ଷରୁ ଅଧିକ ଥିଲା। ଗତକାଲି ୧ ଲକ୍ଷ ୩୬ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା।
ଏଯାବତ୍ ଏହା ସର୍ବାଧିକ ସଂକ୍ରମଣ ମାମଲା। ତେବେ ଗତ ରବିବାର ୭୫ ପ୍ରତିଶତ ମାମଲା ୧୦ ଟି ଦେଶରୁ ଚିହ୍ନଟ ହୋଇଥିବା ବେଳେ ଆମେରିକା ଏବଂ ଦକ୍ଷିଣ ଏସିଆରେ ସର୍ବାଧିକ ସଂକ୍ରମଣ ମାମଲା ଥିଲା। ଟେଡ୍ରସ୍ କହିଛନ୍ତି, ଯେଉଁ ଦେଶମାନଙ୍କରେ ସ୍ଥିତି ସୁଧୁରୁଛି ସେମାନଙ୍କ ପାଇଁ ସବୁଠୁ ବଡ଼ ବିପଦ ହେଉଛି ଆତ୍ମସନ୍ତୁଷ୍ଟି। କରୋନା ଭାଇରସ୍କୁ ନିୟନ୍ତ୍ରଣ କରିଥିବା ନେଇ କିଛି ରାଷ୍ଟ୍ର ବେପରୁଆ ନୀତି ଧରିବା ଅନୁଚିତ। ଭାଇରସ୍ ମୁକାବିଲା ପାଇଁ ଅଧିକ ସଚେତନ ହେବାକୁ ପଡ଼ିବ। ଟେଡ୍ରସ୍ କହିଛନ୍ତି, ୬ ମାସରୁ ଅଧିକ ସମୟ ଧରି ମହାମାରୀ ସହ ବିଶ୍ବ ସହ ଲଢ଼ୁଛି। କିନ୍ତୁ ବିଶ୍ବରେ ଆହୁରି ଅନେକ ଲୋକ ଏବେ ବି ସଂକ୍ରମିତ ହୋଇନାହାନ୍ତି। ଏନେଇ ଆମକୁ ଅଧିକ ସଚେତନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।