ଆଫଗାନିସ୍ତାନରେ ୧୫୦ରୁ ଅଧିକ ଗଣମାଧ୍ୟମ ସଂସ୍ଥା ବନ୍ଦ, ଛାତ୍ରୀଙ୍କୁ ହଟହଟା କରୁଛି ତାଲିବାନ

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବାପରଠାରୁ ଗଣମାଧ୍ୟମର ସ୍ବାଧୀନତାରେ ଅଙ୍କୁଶ ଲାଗିଛି। ସାମ୍ବାଦିକମାନଙ୍କୁ ଭୟଙ୍କର ଅତ୍ୟାଚାର କରାଯାଉଛି। ପ୍ରାଣ ଭୟରେ କିଛି ସାମ୍ବାଦିକ ଦେଶ ଛାଡ଼ି ଦେଇଛନ୍ତି। ଇତି ମଧ୍ୟରେ ଖବର ମିଳିଛି ଯେ, ଆଫଗାନିସ୍ତାନରେ ୧୫୩ ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇଯାଇଛି। ଉକ୍ତ ଗଣମାଧ୍ୟମ ସଂସ୍ଥା ଗୁଡ଼ିକ ୨୦ ପ୍ରଦେଶରେ ଏମାନଙ୍କ କାମ ବନ୍ଦ କରିଦେଇଛନ୍ତି। ରେଡିଓ, ପ୍ରିଣ୍ଟ୍‌ ଏବଂ ଟିଭି ଚ୍ୟାନେଲ୍‌ ଗୁଡ଼ିକ ବନ୍ଦ ହୋଇଯାଇଛି। ଆର୍ଥିକ ସମସ୍ୟା ସହ ବିଭିନ୍ନ କଟକଣା ପାଇଁ ୧୫୦ରୁ ଅଧିକ ଗଣମାଧ୍ୟମ ସଂସ୍ଥା କାମ କରିବା ବନ୍ଦ କରିଦେଇଛନ୍ତି। କୁହାଯାଉଛି ଯେ, ଯଦି ଗଣମାଧ୍ୟମ ସଂସ୍ଥାର ଆର୍ଥିକ ସଙ୍କଟ ସମାଧାନ ନହୁଏ ଏବଂ ସେମାନଙ୍କ ବିରୋଧରେ ଥିବା କଟକଣା ନହଟେ ତେବେ ଆଗକୁ ଆହୁରି ଅଧିକରୁ ଅଧିକ ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇଯିବ। ଆଫଗାନିସ୍ତାନ ଜାତୀୟ ସାମ୍ବାଦିକ ସଂଘର ଜଣେ ପ୍ରତିନିଧି ମସରୁର୍‌ ଲୁତ୍‌ଫି କହିଛନ୍ତି, ଏହି ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବାପାଇଁ ଆମେ ଅନ୍ତର୍ଜାତୀୟ ସମୁଦାୟକୁ ଅନୁରୋଧ କରୁଛୁ। ଅନ୍ୟପକ୍ଷେ ତାଲିବାନ କହିଛି ଏହା ଦେଶରେ ଗଣମାଧ୍ୟମ ସଂସ୍ଥା ଏବଂ ସାମ୍ବାଦିକଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରୁଛି।

ନୂଆଦିଲ୍ଲୀ: ଛାତ୍ରୀଙ୍କୁ ହଟହଟା କରୁଛି ତାଲିବାନ। ଅନେକ ସଂଖ୍ୟାରେ ଆଫଗାନ ଛାତ୍ରୀଙ୍କୁ ୯/୧୧ ଆତଙ୍କବାଦୀ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ତାଲିବାନ ଦ୍ବାରା କଳା ପୋଷାକ ପ୍ରଦାନ କରାଯାଇଥିଲା। ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ଢାଙ୍କି ହୋଇ ରହୁଥିବା ଏହି କଳା ପୋଷାକ ପିନ୍ଧି ସେମାନଙ୍କୁ ତାଲିବାନ ସମର୍ଥିତ ଆନ୍ଦୋଳନରେ ଅଂଶଗ୍ରହଣ କରିବାପାଇଁ ବାଧ୍ୟ କରାଯାଇଛି। ଯେଉଁମାନେ ଏଥିପାଇଁ ମନା କରିବେ ସେମାନଙ୍କୁ ଶ୍ରେଣୀରୁ ବହିଷ୍କାର କରିବାର ଧମକ ଦିଆଯାଇଛି। ଉକ୍ତ ମହିଳାମାନଙ୍କୁ ତାଲିବାନ ସମର୍ଥନରେ ପ୍ଲାକାର୍ଡ ଧରିବାକୁ କୁହାଯାଇଛି। ତାଲିବାନର ନୂଆ ଆଇନ ଅନୁଯାୟୀ ମହିଳାମାନେ ବିଶ୍ବବିଦ୍ୟାଳୟରେ ପୁରୁଷଙ୍କଠାରୁ ଅଲଗା ରହି ଅଧ୍ୟୟନ କରୁଛନ୍ତି। ଶ୍ରେଣୀ ଗୃହରେ ଛାତ୍ର ଏବଂ ଛାତ୍ରୀଙ୍କ ମଧ୍ୟରେ ପରଦା ପଡ଼ୁଛି। ମହିଳାମାନେ ଯେପର୍ଯ୍ୟନ୍ତ ପୁରୁଷଙ୍କଠାରୁ ଅଲଗା ରହି ଅଧ୍ୟୟନ କରିପାରିବେ ସେପର୍ଯ୍ୟନ୍ତ ସେମାନଙ୍କୁ ବିଶ୍ବବିଦ୍ୟାଳୟରେ ପଢ଼ିବାର ଅନୁମତି ମିଳିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର