ଦେଶରେ ଗୋଷ୍ଠୀ ସଂକ୍ରମଣ ନାହିଁ, ୮୩ ଜିଲ୍ଲାରେ ୦.୭୩% ଲୋକ ସଂକ୍ରମିତ

ଦୈନିକ ଟେଷ୍ଟିଂ ୧ ଲକ୍ଷ ୫୦ ହଜାରରୁ ଅଧିକ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨ ଲକ୍ଷ ୮୬ ହଜାରରୁ ଅଧିକ ଥିଲେ ମଧ୍ୟ ଏବେ ବି ଗୋଷ୍ଠୀ ସଂକ୍ରମଣ ‌ଆରମ୍ଭ ହୋଇନାହିଁ ବୋଲି ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ସ୍ପଷ୍ଟ କରିଛି। ଭାରତ ଭଳି ବିଶାଳ ଦେଶରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଛୋଟ ଜିଲ୍ଲାଗୁଡ଼ିକରେ ୧ ପ୍ରତିଶତରୁ କମ୍‌ ସଂକ୍ରମଣ ଥିବା ବେଳେ ସହରାଞ୍ଚଳରେ ୧ ପ୍ରତିଶତରୁ ଅଧିକ ସଂକ୍ରମଣ ରହୁଛି। ଅବରୋଧ ଅଞ୍ଚଳଗୁଡ଼ିକରେ ସଂକ୍ରମଣ ମାତ୍ରା ଅଧିକ ରହୁଥିଲେ ବି ନିଶ୍ଚିତ ଭାବେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇନାହିଁ ବୋଲି ଆଇସିଏମ୍‌ଆର ଡିଜି ପ୍ରଫେସର ଡ. ବଳରାମ ଭାର୍ଗବ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଭାରତ ଟେଷ୍ଟିଂ, ଟ୍ରେସିଂ, ଟ୍ରାକିଂ ଏବଂ କ୍ବାରାଣ୍ଟିନ୍‌ ଉପରେ ଏବେ ଗୁରୁତ୍ବ ଦେଉଛି। ଭାର୍ଗବ କହିଛନ୍ତି ଦେଶରେ ଏବେ ଦୈନିକ ଟେଷ୍ଟିଂ ୧ ଲକ୍ଷ ୫୦ ହଜାରରୁ ଅଧିକ ରହିଛି। ଗତକାଲି ଦେଶରେ ୧ ଲକ୍ଷ ୫୧ ହଜାର ଟେଷ୍ଟ୍‌ ହୋଇଥିବା ବେଳେ ଆଗାମୀ କିଛି ଦିନ ମଧ୍ୟରେ ଏହା ୨ ଲକ୍ଷକୁ ବୃଦ୍ଧି ପାଇବ। ଲକ୍‌ଡାଉନ୍‌ ଦ୍ବାରା ଦେଶରେ ସଂକ୍ରମଣ ମାମଲା କମ୍‌ ରହିଛି ବୋଲି ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଆଇସିଏମ୍‌ଆର ସେରୋ ସର୍ଭେରୁ ଜଣାପଡ଼ିଛି ଯେ, ଅବରୋଧ ଅଞ୍ଚଳ ବାହାରେ ଥିବା ଜିଲ୍ଲାଗୁଡ଼ିକରେ ୧ ପ୍ରତିଶତରୁ କମ୍‌ ସଂକ୍ରମଣ ରହିଛି। ଆଇସିଏମ୍‌ଆର ଯେଉଁ ୮୩ଟି ଜିଲ୍ଲାରେ ସେରୋ ସର୍ଭେ କରିଛି ସେଠାରେ ମାତ୍ର ୦.୭୩ ପ୍ରତିଶତ ଲୋକ ସଂକ୍ରମିତ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର