ନୂଆଦିଲ୍ଲୀ: ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦତ୍ତ ବନ୍ୟାଜନିତ ହାରାହାରି ବାର୍ଷିକ ଜୀବନ ଓ ସମ୍ପଦ ହାନିକୁ ଯଦି ଆଧାର କରାଯାଏ ତେବେ, ଆଗାମୀ ୧୦ ବର୍ଷ ମଧ୍ୟରେ ସମଗ୍ର ଦେଶରେ ବନ୍ୟା ଯୋଗୁଁ ୧୬, ୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେବା ସହ ୪୭, ୦୦୦ କୋଟି ଟଙ୍କା ମୂଲ୍ୟରୁ ଅଧିକ ସମ୍ପତ୍ତି ନଷ୍ଟ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାକୃତିକ ଦୁର୍ବିପାକର ଆଗୁଆ ସୂଚନା ପାଇବା ନିମନ୍ତେ ସର୍ବାଧୁନିକ କୃତ୍ରିମ ଉପଗ୍ରହ ଥିଲେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ବିପଦ୍ ହ୍ରାସ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଘଟିଲେ ସେଥିରୁ ତୁରନ୍ତ ମୁକ୍ତି ପାଇବା ଓ ମୃତ୍ୟୁସଂଖ୍ୟା କମ୍ କରାଇବାର ସାମର୍ଥ୍ୟ ଉପରେ ସରକାରଙ୍କ ଗୁରୁତ୍ୱ କେବଳ କାଗଜ କଲମରେ ରହିଯିବା ପରି ମନେହେଉଛି। ଜରୁରୀ ପରିସ୍ଥିତି ଉପୁଜିଲେ ସରକାରଙ୍କର ନୋଡାଲ୍ ଏଜେନ୍ସି ‘ନେସ୍ନାଲ୍ ଡିଜାଷ୍ଟର୍ ମ୍ୟାନେଜ୍ମେଣ୍ଟ୍ ଅଥରିଟି’ ସଂକ୍ଷିପ୍ତରେ ‘ଏନ୍ଡିଏମ୍ଏ’ କେବଳ ଗାଇଡ୍ଲାଇନ୍ ଜାରି କରିବା, ସେମିନାର୍ ଆୟୋଜନ କରିବା ଏବଂ ସଭା ଡକାଇବା ମଧ୍ୟରେ ସଂକୁଚିତ ହୋଇ ରହୁଛି। ସଂପ୍ରତି ବନ୍ୟା ପ୍ରପୀଡ଼ିତ କେରଳରେ କି ପଦକ୍ଷେପ ନେଇଛି ବୋଲି ପଚରା ଯିବାରୁ ‘ଏନ୍ଡିଏମ୍ଏ’ ମୁଖପାତ୍ର କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି।
ନିକଟରେ ଗୃହମନ୍ତ୍ରଣାଳୟ ଦେଶର ୬୪୦ ଜିଲ୍ଲାରେ ରିସ୍କ ମ୍ୟାନେଜ୍ମେଣ୍ଟ୍ କରାଇଥିଲା। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଦର୍ଶନକୁ ଭିତ୍ତି କରି ଗୃହମନ୍ତ୍ରାଳୟ ଏକ ନେସ୍ନାଲ୍ ରେସିଲିଏନ୍ସ୍ ଇଣ୍ଡେକ୍ସ୍ ପ୍ରସ୍ତୁତ କରିଛି। ବିପଦ୍ ଆକନଳ, ବିପଦ୍ ପ୍ରତିରୋଧ ଓ ପ୍ରଶମନ, ଦୁର୍ବିପାକ ରିଲିଫ୍ ଏବଂ ପୁନଃଥଇଥାନ ସଙ୍କ୍ରାନ୍ତରେ ଡିଆର୍ଆର୍ ଗ୍ରହଣ କରିଥିବା କାର୍ଯ୍ୟପ୍ରଣାଳୀକୁ ଭିତ୍ତି କରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଦକ୍ଷତା ଆକଳନ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ପ୍ରାକୃତିକ ବିପତ୍ତିରୁ ତୁରନ୍ତ ମୁକ୍ତ ପାଇବାକୁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସାମର୍ଥ୍ୟ ଅତି ନିମ୍ନ ଏବଂ ଏହାର ଉନ୍ନତି ହେବା ଆବଶ୍ୟକ।