ରବାତ: ମରକ୍କୋର ମର୍ମନ୍ତୁଦ ଭୂକମ୍ପରେ ୨,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ ଶନିବାର କହିଛନ୍ତି। ସରକାର ତିନିଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି, କିନ୍ତୁ କ୍ଷୟକ୍ଷତିର ଭରଣା ଓ ପୁନଃନିର୍ମାଣ ପାଇଁ ବର୍ଷ ବର୍ଷ ଲାଗିପାରେ ବୋଲି ରେଡକ୍ରସ ସଂସ୍ଥା ପକ୍ଷରୁ କୁହାଯାଇଛି। ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ପର୍ଯ୍ୟଟନ ସହର ମାରାକେଶର ୭୨ କିଲୋମିଟର (୪୫ ମାଇଲ) ଦକ୍ଷିଣ-ପଶ୍ଚିମ ପାର୍ବତ୍ୟ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ୬.୮ ତୀବ୍ରତାର ଭୂକମ୍ପ ହୋଇଥିଲା।
ଉପକୂଳବର୍ତ୍ତୀ ସହର ରବାତ, କାସାବ୍ଲାଙ୍କା ଓ ଏସାଉଇରାରେ ମଧ୍ୟ ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ନିକଟସ୍ଥ ତାଫେଘାଘଟେ ଅଞ୍ଚଳରେ ପ୍ରାୟ କୌଣସି କୋଠାଘର ସୁରକ୍ଷିତ ରହିନାହିଁ। ଜଣେ ବିଶେଷଜ୍ଞ ୧୨୦ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ଏହା ସବୁଠାରୁ ବଡ଼ ଭୂକମ୍ପ ବୋଲି ବର୍ଣ୍ଣନା କରିଛନ୍ତି। ବ୍ରିଟେନର ୟୁନିଭରସିଟି କଲେଜ ଲଣ୍ଡନର ପ୍ରଫେସର ବିଲ୍ ମ୍ୟାକଗୁଏର୍ କହିଛନ୍ତି ଯେ, ଏଠାରେ ବିନାଶକାରୀ ଭୂକମ୍ପ ବିରଳ ହୋଇଥିବାରୁ ସେଠାରେ ଅଟ୍ଟାଳିକାଗୁଡ଼ିକ ଯଥେଷ୍ଟ ପରିମାଣରେ ମଜଭୁତ କରି ନିର୍ମାଣ କରାଯାଇ ନାହିଁ। ଫଳରେ ଅଧିକାଂଶ ଘର ଭୁଶୁଡ଼ି ପଡ଼ିବା ସହ ବହୁ ଲୋକଙ୍କର ମୃତ୍ୟୁ ଘଟିଛି। ଶନିବାର ବିଳମ୍ବିତ ସମୟରେ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ସର୍ବଶେଷ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଭୂକମ୍ପରେ ଅତି କମ୍ରେ ୨,୦୧୨ ଜଣଙ୍କର ମୃତ୍ୟୁ ଘଟିଛି।