ଲକ୍ଷ୍ନୌ: କିଛି ପ୍ରବାସୀ ଶ୍ରମିକ ଘରକୁ ଫେରିବାପାଇଁ ସେମାନଙ୍କ ଜୀବନକୁ ବିପଦରେ ପକାଇଛନ୍ତି। ଟ୍ୟୁବ୍ ସାହାରାରେ ପ୍ରତିଦିନ ଯମୁନା ନଦୀ ଅତିକ୍ରମ କରୁଛନ୍ତି ୨,୦୦୦ରୁ ଅଧିକ ପ୍ରବାସୀ ଶ୍ରମିକ । ମହିଳା ଏବଂ ଶିଶୁମାନେ ମଧ୍ୟ ଏଥିରେ ସାମିଲ। ହରିୟାଣାରୁ ଉତ୍ତରପ୍ରଦେଶରେ ଲୁଚି ଲୁଚି ପହଞ୍ଚିବାପାଇଁ ପ୍ରୟାସ କରିଛନ୍ତି ହଜାର ହଜାର ପ୍ରବାସୀ ଶ୍ରମିକ। ସଡ଼କ ପଥରେ ଗଲେ ପୁଲିସ ଧରିବାର ଭୟ। ସେଥିପାଇଁ ଗତ ୨ ସପ୍ତାହ ଧରି ଘରକୁ ଫେରିବାପାଇଁ ଯମୁନା ନଦୀ ଅତିକ୍ରମ କରିଛନ୍ତି ପ୍ରବାସୀ । ଶାହରନପୁର ଡିସି ସଂଜୟ କୁମାର କହିଛନ୍ତି, ପ୍ରାୟ ୩,୦୦୦ ଲୋକ ପ୍ରତିଦିନ ସେମାନଙ୍କ ଜୀବନକୁ ବିପଦରେ ପକାଇ ଟ୍ୟୁବ୍ ସାହାରାରେ ନଦୀ ଅତିକ୍ରମ କରୁଛନ୍ତି। ସେମାନେ ଏହି ଟ୍ୟୁବ୍ ବ୍ୟବହାର କରିବାପାଇଁ ୨୦୦ରୁ ୩୦୦ ଟଙ୍କା ଦେଉଛନ୍ତି। ତେବେ ଏହି ଟ୍ୟୁବ୍ ଗୁଡ଼ିକ ଅତି ଖରାପ୍ ସ୍ଥିତିରେ ଥିବା ବେଳେ ଯେକୌଣସି ସମୟରେ ଏହା ଫାଟିଯିବାର ଭୟ ମଧ୍ୟ ରହିଛି। ନିକଟରେ ଶାହରନପୁର ପୁଲିସ ୩ ଜଣଙ୍କୁ ଏନେଇ ଗିରଫ କରିଥିଲା। ଟଙ୍କା ଲୋଭରେ ପ୍ରବାସୀଙ୍କୁ ନଦୀ ପାର କରାଇବାରେ ସହଯୋଗ କରିଥିବାରୁ ପୁଲିସ ୩ ଜଣଙ୍କୁ ଗିରଫ କରିଥିଲା।
ଶାହରନପୁର ଏସ୍ଏସ୍ପି ଦିାର ପି କହିଛନ୍ତି, ନଦୀ ଜଳ ସ୍ଥିର ନରହି କମ୍ ବେଶୀ ହେଉଥିବାରୁ ଜଣେ ବ୍ୟକ୍ତି ଏତେ ଲମ୍ବା ଜଳ ସୀମା ଅତିକ୍ରମ କରିବା ବହୁତ କଷ୍ଟଦାୟକ। ସେ କହିଛନ୍ତି, କେବଳ ହରିୟାଣା ସରକାରଙ୍କ ଦ୍ବାରା ମେଡିକାଲ୍ ଯାଞ୍ଚ କରାଯାଇଥିବା ଶ୍ରମିକମାନଙ୍କୁ ଆମେ ସୀମାରେ ପ୍ରବେଶ କରାଉଛୁ। କିନ୍ତୁ ହଜାର ହଜାର ପ୍ରବାସୀ ସଠିକ୍ ପଦ୍ଧତିରେ ନଆସି ଯେକୌଣସି ଉପାୟରେ ନିଜ ଜୀବନକୁ ମଧ୍ୟ ବିପଦରେ ପକାଇ ଘରେ ପହଞ୍ଚିବାକୁ ଚାହୁଛନ୍ତି। କୁମାର କହିଛନ୍ତି, ପ୍ରତିଦିନ ୧୨,୦୦୦ରୁ ୧୫,୦୦୦ ପ୍ରବାସୀ ଶ୍ରମିକ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ସରକାରୀ ବ୍ୟବସ୍ଥାରେ ତଥା ହରିୟାଣା ସରକାରଙ୍କ ଦ୍ବାରା ପଠାଯାଇଥିବା ୧୫୦ରୁ ୨୦୦ ବସ୍ରେ ଆସିଛନ୍ତି। ତେବେ ପ୍ରାୟ ୪,୫୦୦ ପ୍ରବାସୀ ନଦୀ ଏବଂ ଜଙ୍ଗଲ ଅଞ୍ଚଳ ଦେଇ ଶାହରନପୁର ଆସିଛନ୍ତି। ସେମାନଙ୍କ ଆଗମନକୁ ରୋକି ହୋଇନାହିଁ। କିନ୍ତୁ ନଦୀ ପାର କରିବାପରେ ସେମାନେ ଶେଷରେ ଯେଉଁ ରାସ୍ତାରେ ପହଞ୍ଚିବେ ସେହି ସ୍ଥାନରେ ହିଁ ବିଶାଳ ପୁଲିସ ବାହିନୀ ମୁତୟନ ହୋଇଛନ୍ତି ବୋଲି ସେ କହିଛନ୍ତି। ସେମାନଙ୍କୁ କ୍ବାରାଣ୍ଟିନ୍ରେ ରଖାଯାଉଛି। ହରିୟାଣା ଏବଂ ଉତ୍ତରାଖଣ୍ଡ ସୀମା ଲାଗିଥିବା ଶାହରନପୁରରେ ପ୍ରବାସୀଙ୍କ ଯାତାୟତ ଅଧିକ ରହିଛି। ନିକଟରେ ଯମୁନା ଅତିକ୍ରମ କରିଥିବା ଅଧିକାଂଶ ପ୍ରବାସୀ ପାନିପତରୁ ଆସିଥିବା ଜଣାପଡ଼ିଛି। ସେମାନେ ଏକ ହୋଲ୍ସେଲ୍ ପରିବା ବଜାରରେ କାମ କରୁଥିଲେ। ତେବେ ସେମାନଙ୍କ ମାଲିକ ସେମାନଙ୍କୁ ଖାଦ୍ୟ ଦେବା ବନ୍ଦ କରିଦେବାପରେ ସେମାନେ ଘରକୁ ଫେରିବାପାଇଁ ବାଧ୍ୟ ହେଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/dfghhh54fh97fsh87sfh4h65465fssssssssssssfsfhhsfsfhsfhsfhsf.jpg)