୩ ବର୍ଷରେ ୨୪ ହଜାରରୁ ଅଧିକ ପିଲାଙ୍କ ଆତ୍ମହତ୍ୟା

ନୂଆଦିଲ୍ଳୀ: ସରକାରଙ୍କ ଏକ ପରିସଂଖ୍ୟାନ ଅନୁଯାୟୀ ଦେଶରେ ୨୦୧୭ରୁ ୨୦୧୯ ମଧ୍ୟରେ ୧୪ରୁ ୧୮ ଆୟୁ ବର୍ଗର ୨୪,୫୬୮ ଜଣ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୪ ହଜାରରୁ ଅଧିକ ପିଲା ପରୀକ୍ଷାରେ ବିଫଳତା ପାଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସଂସଦରେ ନିକଟରେ ଉପସ୍ଥାପନ କରାଯାଇଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟ ମୁତାବକ ୧୪ରୁ ୧୮ ବର୍ଷ ଆୟୁ ବର୍ଗରେ ଆତ୍ମହତ୍ୟା କରିଥିବା ପିଲାଙ୍କ ମଧ୍ୟରେ ୧୩ ହଜାର ୩୨୫ ଜଣ ଝିଅ ସାମିଲ ଅଛନ୍ତି। ୨୦୧୭ରେ ଏହି ଆୟୁ ବର୍ଗରେ ୮୦୨୯ ପିଲା ଆତ୍ମହତ୍ୟା କରିଥିବା ବେଳେ ୨୦୧୮ରେ ଏହା ବୃଦ୍ଧି ପାଇଁ ୮୧୧୨ରେ ପହଞ୍ଚିଥିଲା। ୨୦୧୯ରେ ଶିଶୁ ଆତ୍ମହତ୍ୟା ସଂଖ୍ୟା ପୁଣି ବଢ଼ି ୮୩୭୭ରେ ପହଞ୍ଚିଲା ।

୧୪ରୁ ୧୮ ଆୟୁ ବର୍ଗରେ ସବୁଠାରୁ ଅଧିକ ଆତ୍ମହତ୍ୟା ମାମଲା ମଧ୍ୟପ୍ରଦେଶରେ ରହିଛି। ମଧ୍ୟପ୍ରଦେଶରେ ମୋଟ୍‌ ୩୧୧୫ ଜଣ ପିଲା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପଶ୍ଚିମବଂଗରେ ୨୮୦୨ ଜଣ ଆତ୍ମହତ୍ୟା କରିଥିବା ବେଳେ ମହାରାଷ୍ଟ୍ରରେ ୨୫୨୭ ଏବଂ ତାମିଲନାଡ଼ୁରେ ୨୦୩୫ ଜଣ ଆତ୍ମହତ୍ୟା କରିଛନ୍ତି। ୨୦୧୭ରୁ ୨୦୧୯ ମଧ୍ୟରେ ୬୩୯ ଜଣ ପିଲା ବିବାହ ସଂପର୍କିତ ମାମଲାରେ ଆତ୍ମହତ୍ୟା କରିଛନ୍ତି ଏବଂ ସେମାନଙ୍କ ମଧ୍ୟରେ ୪୧୧ ଜଣ ଝିଅ ଅଛନ୍ତି । ୩୩୧୫ ଜଣ ପ୍ରେମ ସଂପର୍କିତ ମାମଲାରେ ଆତ୍ମହତ୍ୟା କରିଥିବା ବେଳେ ୨୫୬୭ ଜଣ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଆତ୍ମହତ୍ୟା କରିଛନ୍ତି। ୮୧ ଜଣ ଶିଶୁ ଶାରିରୀକ ଶୋଷଣରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଥିବା ଏନ୍‌ସିଆର୍‌ବି ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର