ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାରବାଙ୍କୀ ଜିଲ୍ଲାର ବୁଡ଼ୱାଲ ଜଙ୍କସନରେ ୨ଟି ଏକ୍ସପ୍ରେସ ଅଟକି ରହିବାରୁ ୨୫୦୦ରୁ ଅଧିକ ଯାତ୍ରୀ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗୋଟିଏ ଏକ୍ସପ୍ରେସ ଟ୍ରେନର ଡ୍ରାଇଭର ଡ୍ୟୁଟି ସମୟ ଶେଷ ହୋଇଯାଇଥିବା କହିଥିବାବେଳେ ଅନ୍ୟ ଟ୍ରେନର ଡ୍ରାଇଭର ଅସୁସ୍ଥତା ଦର୍ଶାଇଥିଲେ। ଟ୍ରେନରେ ପାଣି, ଖାଦ୍ୟ ଏବଂ ବିଜୁଳି ଯୋଗାଣ ନଥିବାରୁ ଭିତରେ ଥିବା ଯାତ୍ରୀମାନେ ବିରକ୍ତ ହୋଇ ସେଠାରେ ଧାରଣାରେ ବସିଥିଲେ। ଏହାପରେ ସେମାନେ ରେଳ ଧାରଣାକୁ ଆସି ଟ୍ରେନ ଅଟକାଇଥିଲେ। ସହର୍ସା-ନୂଆଦିଲ୍ଲୀ ସ୍ପେସାଲ ଫେୟାର ଛଟ୍ ପୂଜା ସ୍ପେସାଲ (୦୪୦୨୧) ଏବଂ ବାରାଉଣି-ଲକ୍ଷ୍ନୌ ଜଙ୍କସନ ଏକ୍ସପ୍ରେସ (୧୫୨୦୩)ର ଯାତ୍ରୀମାନେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେବେ କିଛି ଘଣ୍ଟା ପରେ ଉତ୍ତର ପୂର୍ବ ରେଳବାଇ ପକ୍ଷରୁ ଗୋଣ୍ଡା ଜଙ୍କସନରୁ କର୍ମଚାରୀ ପଠାଯାଇଥିଲା।
୦୪୦୨୧ ନମ୍ବର ଟ୍ରେନ ନଭେମ୍ବର ୨୭ ତାରିଖ ରାତି ୭ଟା ୧୫ରେ ସହର୍ସା ଷ୍ଟେସନ ଛାଡ଼ିବାର ଥିଲା। କିନ୍ତୁ ସେଠାରୁ ଏହି ଟ୍ରେନ ନଭେମ୍ବର ୨୮ ତାରିଖ ସକାଳ ୯ଟା ୩୦ରେ ଛାଡ଼ିଥିଲା। ଗୋରଖପୁରରେ ଟ୍ରେନଟି ୧୯ ଘଣ୍ଟଶ ବିଳମ୍ବରେ ପହଞ୍ଚିଥିଲା। ବୁଡ଼ୱାଲ ଜଙ୍କସନରେ ସେହି ଟ୍ରେନ ରହିବାର ସୂଚୀ ନଥିଲେ ମଧ୍ୟ ତାହା କିନ୍ତୁ ଅପରାହ୍ଣ ପାୟ ୧ଟା ୧୫ ବେଳକୁ ରହିଥିଲା। ଅନ୍ୟ ଟ୍ରେନଟି ମଧ୍ୟ ସାଢ଼େ ୫ ଘଣ୍ଟାରୁ ଅଧିକ ବିଳମ୍ବରେ ଚାଲୁଥିଲା। ବୁଡ଼ୱାଲ ଜଙ୍କସନରେ ତାହା ଅପରାହ୍ଣ ୪ଟା ୦୪ ମିନିଟରେ ପହଞ୍ଚିବା ପରେ ଟ୍ରେନର କର୍ମଚାରୀମାନେ ଇଞ୍ଜିନ ଛାଡ଼ି ପଳାଇଥିଲେ।