ନୂଆଦିଲ୍ଲୀ: ଭାରତୀୟ ସେନାବାହିନୀ ଦ୍ବାରା ପାକିସ୍ତାନ ଏବଂ ପିଓକେରେ ଟାର୍ଗେଟ୍ ଆକ୍ରମଣ ହେବାପରେ ଆଜି ଭାରତରେ ୨୫ ବିମାନବନ୍ଦର ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ଏବଂ ୩୦୦ରୁ ଅଧିକ ବିମାନ ବାତିଲ କରାଯାଇଛି। ଶ୍ରୀନଗର, ଲେହ, ଅମୃତସର ଏବଂ ଚଣ୍ଡିଗଡ଼ ସମେତ ମୋଟ୍ ୨୫ଟି ବିମାନବନ୍ଦର ବନ୍ଦ କରାଯାଇଛି। ଜମ୍ମୁ, ପଠାନକୋଟ, ଯୋଧପୁର, ଜୈସଲମେର, ଶିମଲା, ଧର୍ମଶାଳା ଏବଂ ଜାମନଗର ସମେତ ଉତ୍ତର ଏବଂ ପଶ୍ଚିମର ପ୍ରମୁଖ ବିମାନବନ୍ଦର ଗୁଡ଼ିକର ବିମାନ ଚଳାଚଳ ବାତିଲ ହୋଇଛି। ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇସ୍ ଜେଟ୍, ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ଆକାଶ ଏୟାର ଏବଂ ଅନ୍ୟାନ୍ୟ ଏୟାରଲାଇନ୍ସଗୁଡ଼ିକ ପ୍ରଭାବିତ ଅଞ୍ଚଳରୁ ଏବଂ ଅଞ୍ଚଳକୁ ବିମାନ ସେବା ବନ୍ଦ କରିଛନ୍ତି।
ମିଳିଥିବା ସୂଚନାନୁଯାୟୀ କେବଳ ଇଣ୍ଡିଗୋ ୧୬୫ ବିମାନ ବାତିଲ କରିଛି। ଭାରତର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର ଦିଲ୍ଲୀରୁ ଏବଂ ଦିଲ୍ଲୀକୁ ଇଣ୍ଡିଗୋ ୩୫ଟି ବିମାନ ବାତିଲ କରିଛି। ଆମେରିକାନ ଏୟାରଲାଇନ୍ସ ଏବଂ ଅନ୍ୟାନ୍ୟ ବୈଶ୍ବିକ ବିମାନସଂସ୍ଥା ମଧ୍ୟ ଏବେ ସେବା ବନ୍ଦ ରଖିଛନ୍ତି। ଏୟାର ଇଣ୍ଡିଆ ଆଜି ଏକ ବିବୃତି ଜାରି କରି କହିଛି ଯେ ଏହା ଶ୍ରୀନଗର, ଜମ୍ମୁ, ଲେହ, ଯୋଧପୁର, ଅମୃତସର, ଭୁଜ୍, ଜାମନଗର, ଚଣ୍ଡିଗଡ଼ ଓ ରାଜକୋଟକୁ ଏବଂ ଉପରୋକ୍ତ ବିମାନବନ୍ଦରରୁ ବିମାନ ସେବା ବାତିଲ କରୁଛି। ଇଣ୍ଡିଗୋ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରି ଶ୍ରୀନଗର, ଜମ୍ମୁ, ଅମୃତସର, ଲେହ, ଚଣ୍ଡିଗଡ଼, ଧର୍ମଶାଳା, ବିକାନେର ଏବଂ ଯୋଧପୁରରେ ସମସ୍ତ ଅପରେସନ୍ ଦିନକ ପାଇଁ ବନ୍ଦ ରଖିଛି।
ସେହିପରି ସ୍ପାଇସଜେଟ୍ ମଧ୍ୟ ଉତ୍ତର ଭାରତର ବିଭିନ୍ନ ବିମାନବନ୍ଦରରେ ବିମାନ ସେବା ବନ୍ଦ ରଖିଥିବା ଘୋଷଣା କରିଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ଆମେରିକାର ୟୁନାଇଟେଡ୍ ଏୟାରଲାଇନ୍ସ ମଧ୍ୟ ନୂଆଦିଲ୍ଲୀକୁ ଅନେକ ବିମାନ ବାତିଲ କରିଛି। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନା କରୁଥିବା ଦିଲ୍ଲୀ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଲିମିଟେଡ୍ ଚେତାବନୀ ଦେଇ କହିଛି ଯେ ପରିବର୍ତ୍ତିତ ବାୟୁସୀମା ସ୍ଥିତି ପାଇଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇପାରେ। ବେଙ୍ଗାଲୁରୁ ବିମାନବନ୍ଦର ମଧ୍ୟ ଯାତ୍ରୀମାନଙ୍କ ପାଇଁ ଏକ ନିର୍ଦ୍ଦେଶାବଳି ଜାରି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/08/3EQOdANXW3J3dPCCNsRr.jpg)