ଦେଶରେ ସଂକ୍ରମଣ ମାମଲା ୩ ଲକ୍ଷ ଟପିଲା: ୨ ଲକ୍ଷରୁ ୩ ଲକ୍ଷ ହେବା ପାଇଁ ମାତ୍ର ୧୦ ଦିନ

ଏଚ୍‌ସିକ୍ୟୁ, ରେମ୍‌ଡିସ୍‌ଭିର ବ୍ୟବହାର ପାଇଁ ଅନୁମତି, ସଂକ୍ରମଣ ହାର ବଢ଼ୁଛି, ଆରୋଗ୍ୟ ହାର କମୁଛି

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ଆଜି ୩ ଲକ୍ଷ ଟପିଯାଇଛି। ଦିନକରେ ରେକର୍ଡ ୧୧ ହଜାର ୪୫୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩୮୬ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଦେଶ‌ରେ କରୋନା ମାମଲା ୧୦୦ରୁ ୧ ଲକ୍ଷରେ ପହଞ୍ଚିବା ପାଇଁ ୬୪ ଦିନ ଲାଗିଥିବା ବେଳେ ପରବର୍ତ୍ତୀ ୧୫ ଦିନରେ ଏହା ୨ ଲକ୍ଷ ଅତିକ୍ରମ କଲା। କିନ୍ତୁ ୨ ଲକ୍ଷରୁ ୩ ଲକ୍ଷ ହେବାପାଇଁ ମାତ୍ର ୧୦ ଦିନ ଲାଗିଛି। ୱାର୍ଲ୍ଡମିଟର ତଥ୍ୟ ଅନୁଯାୟୀ ଭାରତ ବିଶ୍ବରେ ସର୍ବାଧିକ ସଂକ୍ରମଣ ମାମଲା ଥିବା ରାଷ୍ଟ୍ରଭାବେ ଏବେ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ତେବେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ମାମଲା ଦୁଇ ଗୁଣା ହେବା ସମୟ ୧୭.୪ ରୁ ୧୫.୪ ଦିନକୁ କମି ଆସିଛି। ତେବେ ଆଜି ଦେଶରେ ୩୮୬ ମୃତ୍ୟୁସଂଖ୍ୟାରୁ ଦିଲ୍ଲୀରେ ସର୍ବାଧିକ ୧୨୯, ମହାରାଷ୍ଟ୍ରରେ ୧୨୭ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ଅତି ଦ୍ରୁତ ଗତିରେ ସଂକ୍ରମଣ ବଢ଼ିଚାଲିଛି। ପ୍ରଥମ ଥର ପାଇଁ ଦିଲ୍ଲୀରେ ସଂକ୍ରମଣ ମାମଲା ୨ ହଜାରରୁ ଅଧିକ ରହିଛି।

ଦିଲ୍ଲୀରେ ମାତ୍ର ୧୨ ଦିନରେ ସଂକ୍ରମଣ ହାର ୨୧ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ଦିଲ୍ଲୀରେ ଆରୋଗ୍ୟ ହାର କମିଛି। ମେ’ ୨୦ରୁ ଜୁନ୍‌ ୧୧ର ତଥ୍ୟ ଆଧାରରେ ଏହା ଜଣାପଡ଼ିଛି ଯେ, ଦିଲ୍ଲୀରେ ସଂକ୍ରମଣ ହାର ୨୧ ପ୍ରତିଶତ ବଢ଼ିଛି ଏବଂ ଆରୋଗ୍ୟ ହାର ୮ ପ୍ରତିଶତ କମିଛି। ଦିଲ୍ଲୀରେ କରୋନା ମୁକାବିଲା ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ ହୋଇଛି। ଅନ୍ୟପକ୍ଷେ ମହାରାଷ୍ଟ୍ରର ମୁମ୍ବାଇରେ ସଂକ୍ରମଣ ମାତ୍ରା ବଢ଼ି ଚାଲିଛି। ମୁମ୍ବାଇରେ ଅବରୋଧ ଅଞ୍ଚଳ ୭୯୮କୁ ବୃଦ୍ଧି ପାଇଥିବାବେଳେ ୪,୫୦୦ ଟି କୋଠା ସିଲ୍‌ ହୋଇଛି। ଅନ୍ୟପକ୍ଷେ ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରୋନା ଚିକିତ୍ସାରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ ଏବଂ ଆଣ୍ଟିଭାଇରାଲ ଡ୍ରଗ୍‌ ‘ରେମ୍‌ଡିସ୍‌ଭିର’କୁ ସର୍ତ୍ତମୂଳକ ଭାବେ ବ୍ୟବହାର କରିବାକୁ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର