କପି ବନ୍ଦ ପାଇଁ କଟକଣା ଲାଗୁ ହେବାରୁ ଏ ବର୍ଷ ଉତ୍ତର ପ୍ରଦେଶ ବୋର୍ଡ ପରୀକ୍ଷା ଦେଲେ ନାହିଁ ସାଢ଼େ ୪ ଲକ୍ଷ ବିଦ୍ୟାର୍ଥୀ

ପ୍ରୟାଗରାଜ: ଏ ବର୍ଷ ଉତ୍ତର ପ୍ରଦେଶର ୪, ୬୮, ୮୦୪ରୁ ଅଧିକ ବିଦ୍ୟାର୍ଥୀ ଜାଣିଶୁଣି ବୋର୍ଡ ପରୀକ୍ଷା ଦେଇ ନାହାନ୍ତି। ସ୍ୱଚ୍ଛ ଏବଂ ସୁଚାରୁରୂପେ ପରୀକ୍ଷା ପରିଚାଳନା ନିମନ୍ତେ ‘ଉତ୍ତର ପ୍ରଦେଶ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌’ କର୍ତ୍ତୃପକ୍ଷମାନେ କଠୋର ନୀତି ଅବଲମ୍ବନ କରିବାରୁ ବିଦ୍ୟାର୍ଥୀମାନେ ପରୀକ୍ଷା ନ ଦେଇଥିବା କଥା ଜଣାପଡ଼ିଛି।

୨୦୨୦ ଫେବ୍ରୁଆରି ୧୮ ତାରିଖ ଦିନ ‘ଉତ୍ତର ପ୍ରଦେଶ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌’ର ପରୀକ୍ଷା ଆରମ୍ଭ ହୋଇଥିଲା। ପରୀକ୍ଷା ଆରମ୍ଭ ହେବାର ପ୍ରଥମ ଦୁଇ ଦିନରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ପରୀକ୍ଷା ଦେବାକୁ ଆସି ନ ଥିଲେ। ପରୀକ୍ଷାର ଶେଷ ଦିନ ମାର୍ଚ ୩ ତାରିଖରେ ମଧ୍ୟ ୬୭୪ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବାକୁ ଆସି ନ ଥିଲେ।

ପରୀକ୍ଷା ଦେଉଥିବା ବିଦ୍ୟାର୍ଥୀମାନଙ୍କ ମଧ୍ୟରୁ ପ୍ରାୟ ୪୦୦ ଜଣ କପି କରୁଥିବା ଅବସ୍ଥାରେ ଧରାପଡ଼ିଥିଲେ। କପି ଦେବାରେ ସହଯୋଗ କରୁଥିବା ପ୍ରାୟ ୨୩୩ଜଣ ବ୍ୟକ୍ତିଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦିଆଯାଇଛି ବୋଲି ବୋର୍ଡର ସଚିବ କହିଛନ୍ତି।

Image Source: News18.com

୨୦୨୦ ଉତ୍ତର ପ୍ରଦେଶ ବୋର୍ଡ ପରୀକ୍ଷା ଦେବାକୁ ସମୁଦାୟ ୫୬, ୧୧, ୮୬୯ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବକୁ ନାମ ପଞ୍ଜିକରଣ କରିଥିଲେ। ଏମାନଙ୍କ ମଧ୍ୟରୁ ୩୦, ୨୫, ୪୪ ଜଣ ହେଉଛନ୍ତି ୧୦ମ ଶ୍ରେଣୀର ବିଦ୍ୟାର୍ଥୀ ଏବଂ ୨୫, ୮୬, ୪୨୭ଜଣ ହେଉଛନ୍ତି ଦ୍ୱାଦଶ ଶ୍ରେଣୀର ବିଦ୍ୟାର୍ଥୀ।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ ଅଧିକ କପି ହେବାର ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକରେ ପରୀକ୍ଷା ନିମନ୍ତେ ଏଥର ଉତ୍ତର ପ୍ରଦେଶ ବୋର୍ଡ ସିଲାଇ ହୋଇଥିବା ରଙ୍ଗିନ ପ୍ରଶ୍ନପତ୍ର ସେଟ୍‌ ଓ ଉତ୍ତର ଖାତାର ବ୍ୟବସ୍ଥା କରିଥିଲେ।

ସମ୍ବନ୍ଧିତ ଖବର