ଅକ୍ଟୋବର ପ୍ରଥମ ୩ ସପ୍ତାହରେ ୪୧%ରୁ ଅଧିକ ବର୍ଷା: ଉତ୍ତରାଖଣ୍ଡରେ ସ୍ବାଭାବିକଠାରୁ ୫ ଗୁଣ ଅଧିକ ବର୍ଷା

ନୂଆଦିଲ୍ଲୀ: ଭାରତରେ ୧ ଅକ୍ଟୋବରରୁ ୨୧ ଅକ୍ଟୋବର ମଧ୍ୟରେ ସ୍ୱାଭାବିକ ତୁଳନାରେ ୪୧% ଅଧିକ ବୃଷ୍ଟିପାତ ହୋଇଥିବା ପାଣିପାଗ ବିଭାଗ (ଆଇଏମ୍‌ଡି) ତଥ୍ୟ ରଖିଛି। କେବଳ ଉତ୍ତରାଖଣ୍ଡରେ ସ୍ବାଭାବିକ ବୃଷ୍ଟିପାତର ପାଞ୍ଚ ଗୁଣରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ଦର୍ଶାଯାଇଛି। ପାହାଡ଼ିଆ ରାଜ୍ୟ ଏବଂ ଦକ୍ଷିଣ ତଟବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ଏକ ସାଂଖ୍ୟିକ ଦୃଷ୍ଟିକୋଣ ପ୍ରଦାନ କରି ଆଇଏମ୍‌ଡି କହିଛି ଯେ ଚଳିତ ମାସରେ ୬୦.୦୨ ମିମି ବଦଳରେ ଦେଶରେ ୮୪.୮ ମିମି ବର୍ଷା ହୋଇଛି। ଉତ୍ତରାଖଣ୍ଡରେ ବର୍ଷା ହେତୁ ପ୍ରାୟ ୭୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ କେରଳରେ ମଧ୍ୟ ବର୍ଷା ‌ଯୋଗୁ ଧନଜୀବନର ବ୍ୟାପକ କ୍ଷୟକ୍ଷତି ଘଟିଛି। ଉତ୍ତରାଖଣ୍ଡରେ ୧ ଅକ୍ଟୋବରରୁ ୨୧ ଅକ୍ଟୋବର ମଧ୍ୟରେ ସ୍ବାଭାବିକ ବର୍ଷା ୩୫.୩ ମିଲିମିଟର ବଦଳରେ ୧୯୨.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଫଳରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଅଣାୟତ୍ତ ସ୍ଥିତି ଉପୁଜିଛି। କେରଳରେ ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

ଏଠାରେ ୮ଟି ଜିଲ୍ଲା ପାଇଁ ଅରେଂଜ ଆଲର୍ଟ ଜାରି କରାଯାଇଛି। ୨୦୧୫ ମସିହା ଡିସେମ୍ବରରେ ଚେନ୍ନାଇରେ ୧୦୦ ବର୍ଷ ମଧ୍ୟରେ ସର୍ବାଧିକ ବର୍ଷା ହୋଇଥିଲା ଯେଉଁଥିରେ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ପ୍ରବଳ ବର୍ଷା ସଂପର୍କରେ ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଚଳିତ ଅକ୍ଟୋବରରେ ଦୁଇଟି ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହୋଇଛି। ତିନି ଦଶନ୍ଧିରୁ ଅଧିକ ସମୟ ଧରି ଦକ୍ଷିଣ-ପଶ୍ଚିମ ମୌସୁମୀ ଅଧ୍ୟୟନ କରୁଥିବା ଭୂ-ବିଜ୍ଞାନ ମନ୍ତ୍ରଣାଳୟର ପୂର୍ବତନ ସଚିବ ଏମ ରାଜୀବ କହିଛନ୍ତି ଯେ ମୌସୁମୀ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ହେଉଛି। ଚଳିତ ବର୍ଷ ଉତ୍ତର-ପଶ୍ଚିମ ଭାରତରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଫେରିବା ଅକ୍ଟୋବର ୬ ରୁ ଆରମ୍ଭ ହୋଇଥିଲା ଯାହା ୧୯୭୫ ପରଠାରୁ ଦ୍ୱିତୀୟ ବିଳମ୍ବିତ ପ୍ରତ୍ୟାହାର। ୨୦୧୯ରେ ଏହା ଅକ୍ଟୋବର ୯ରେ ଆରମ୍ଭ ହୋଇଥିଲା। ଆଇଏମ୍‌ଡି କହିଛି ଯେ ଅକ୍ଟୋବର ୨୬ ରୁ ଦେଶରୁ ଏହାର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଆଶା କରାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଦକ୍ଷିଣ-ପଶ୍ଚିମ ମୌସୁମୀର ସକ୍ରିୟ ଅବସ୍ଥା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।

ସମ୍ବନ୍ଧିତ ଖବର