ଭାରତରେ ଅଛି ୪୫ ହଜାରରୁ ଅଧିକ ଏମବିବିଏସ୍ ଏବଂ ଏମଡ଼ି ସିଟ୍ ‌: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦେଶର ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଐତିହାସିକ ଲାଲକିଲ୍ଲା ଠାରୁ ଅଭିଭାଷଣ ପ୍ରଦାନ ବେଳେ କରୋନା ଯୋଦ୍ଧାଙ୍କ ସାହସକୁ ପ୍ରଣାମ କରିଛନ୍ତି । ପ୍ରଧାନମନ୍ତ୍ରୀ  ମୋଦୀ ତାଙ୍କର ଅଭିଭାଷଣରେ କରୋନା ମହାମାରୀରେ ଯେଉଁ ବ୍ୟକ୍ତିମାନେ ପ୍ରାଣ ହରାଇଛନ୍ତି ସେମାନଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିଲେ ।

ସେ କହିଥିଲେ ଯେ ଭାରତର କରୋନା ଯୋଦ୍ଧାମାନଙ୍କୁ ସେମାନଙ୍କର ନିସ୍ୱାର୍ଥପର ନିଷ୍ଠା ଓ ଶ୍ରମ ସକାଶେ ସଭିଏଁ ପ୍ରଶଂସା କରିବା ଉଚିତ । “ସେବା ପରମୋ ଧର୍ମଃ” ଆପ୍ତ ବାକ୍ୟକୁ ସେମାନେ ନିଜ କର୍ମ ଓ ନିଷ୍ଠା ବଳରେ ପ୍ରତିପାଦିତ କରିପାରିଛନ୍ତି । ସମଗ୍ର ଦେଶକୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ ପୂର୍ବକ ପ୍ରଧାନମନ୍ତ୍ରୀ କହିଲେ ଯେ “କରୋନା ବିରୋଧୀ ଲଢ଼େଇରେ ଆମେ ନିଶ୍ଚୟ ବିଜୟ ଲାଭ କରିବୁ । ଆମର ଦୃଢ଼ ମନୋବଳ ଏହି ବିଜୟ ପଥରେ ସହାୟକ ହେବ ।” ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶରେ ଏବେ କୋଭିଡ଼ ନମୁନା ପରୀକ୍ଷା କ୍ଷମତାରେ ଯଥେଷ୍ଟ ଅଭିବୃଦ୍ଧି ହାସଲ କରାଯାଇପାରିଛି । ଦେଶରେ ପୂର୍ବରୁ ଏହି ଧରଣର ପରୀକ୍ଷା ସକାଶେ ମାତ୍ର ଗୋଟିଏ ପରୀକ୍ଷାଗାର ଥିବା ବେଳେ ତାହା ଏବେ ୧୪୦୦ରୁ ଅଧିକ ହୋଇପାରିଛି ଏବଂ ସେସବୁ ଦେଶର ବିଭିନ୍ନ ସ୍ଥାନରେ ବିସ୍ତାରିତ ହୋଇ ରହିଛି ।

ପୂର୍ବରୁ ଦେଶରେ ଦୈନିକ ମାତ୍ର ୩୦୦ ନମୁନା ପରୀକ୍ଷା କରାଯାଉଥିବାବେଳେ ଏବେ ପ୍ରତି ଦିନ ୭ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇପାରୁଛି । ଅତି କମ୍‌ ସମୟ ମଧ୍ୟରେ ଏଭଳି ସଫଳତା ଓ ଅଭିବୃଦ୍ଧି ହାସଲ କରାଯିବା ମଧ୍ୟ ଏକ ବିରାଟ ସଫଳତା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣରେ ଉଲ୍ଲେଖ କରିଥିଲେ ଯେ ଦେଶରେ ମେଡ଼ିକାଲ ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢ଼ୀକରଣ ନିମନ୍ତେ ସରକାର ତାଙ୍କର ଦକ୍ଷତାର ସର୍ବାଧିକ ସଂପ୍ରସାରଣ କରିଛନ୍ତି । ଦେଶରେ ନୂଆ ନୂଆ ଏମ୍ସ ଏବଂ ମେଡ଼ିକାଲ କଲେଜମାନ ସ୍ଥାପନ କରାଯାଉଛି ଯାହା ମେଡ଼ିକାଲ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ସହାୟକ ହେବ । ଏବେ ଦେଶରେ ୪୫ ହଜାରରୁ ଅଧିକ ଏମବିବିଏସ ସିଟ୍‌ ଏବଂ ଏମଡ଼ି ସିଟ୍‌ ଉପଲବ୍ଧ ରହିଛି । ଆୟୁଷ୍ମାନ ଭାରତର ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ର (ଏଚଡ଼ବ୍ଲୁସି)ର ଭୂମିକାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ କରୋନା ମହାମାରୀ ସଂକ୍ରମଣ ବେଳେ ଏହି ସ୍ୱାସ୍ଥ୍ୟକର୍ମୀମାନେ ଅଣ କୋଭିଡ଼ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ସମ୍ବନ୍ଧିତ ଖବର