ଭାରତକୁ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି ୪୫୦ରୁ ଅଧିକ ଆତଙ୍କବାଦୀ : ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ : ଭାରତ ସମେତ ସମଗ୍ର ବିଶ୍ୱ କରୋନା ମହାମାରୀ ମୁକାବିଲାରେ ବ୍ୟସ୍ତ ଥିବାରୁ ପାକିସ୍ତାନ ନିଜର ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି । ଆଗକୁ ବର୍ଷାଦିନ ଆସୁଥିବାରୁ ନିୟନ୍ତ୍ରଣ ରେଖା ଦେଇ ଅଧିକରୁ ଅଧିକ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଲାଗି ଉଦ୍ୟମ କରାଯାଉଛି । ଏଥିପାଇଁ ପାକ-ଅଧିକୃତ କଶ୍ମୀରରେ ଥିବା ଲଞ୍ଚ ପ୍ୟାଡ ଗୁଡ଼ିକରେ ଥିବା ଆତଙ୍କବାଦୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ଭାରତୀୟ ଗୁଇନ୍ଦା ଏଜେନ୍ସିମାନଙ୍କ ରିପୋର୍ଟ ଅନୁସାରେ ପାକ-ଅଧିକୃତ କଶ୍ମୀରରେ ଥିବା ପ୍ରାୟ ୨୦ଟି ଲଞ୍ଚ ପ୍ୟାଡରେ ଏବେ ପ୍ରାୟ ୪୫୦ ଜଣ ଆତଙ୍କବାଦୀ ଠୁଳ ହୋଇଛନ୍ତି । ଏସବୁ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନ, ଲସ୍କର-ଇ-ତୋଇବା ଓ ଜୈସ-ଇ-ମହମ୍ମଦ ସଂଗଠନର ସଦସ୍ୟ ବୋଲି ଗୁଇନ୍ଦା ରିପୋର୍ଟରେ କୁହାଯାଇଛି । ମାର୍ଚ୍ଚରେ ଏସବୁ ଲଞ୍ଚପ୍ୟାଡରେ ଥିବା ଆତଙ୍କବାଦୀଙ୍କ ସଂଖ୍ୟା ପ୍ରାୟ ୨୩୦ ଥିଲା, କିନ୍ତୁ ଏବେ ତାହା ଦୁଇଗୁଣିତ ହୋଇ ୪୫୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ପ୍ରାୟ ୩୫୦ ପାକିସ୍ତାନୀ ଆତଙ୍କବାଦୀ ଥିବାବେଳେ କେତେକ ଆଫଗାନ ଓ ଅନ୍ୟ ଦେଶରୁ ଆସିଥିବା ଆତଙ୍କବାଦୀ ରହିଛନ୍ତି ।

ଏମାନଙ୍କୁ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ସେନା ପକ୍ଷରୁ ନିୟମିତ ଭାବେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଉଛି । ଚଳିତ ମାସରେ ଭାରତୀୟ ସେନା ପକ୍ଷରୁ ଅତର୍କିତ ଆକ୍ରମଣ କରି କେତେକ ଲଞ୍ଚ୍ ପ୍ୟାଡକୁ ନଷ୍ଟ କରିିଦିଆଯାଇଥିଲା ।

ସମ୍ବନ୍ଧିତ ଖବର