ନୂଆଦିଲ୍ଲୀ: ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ମନ୍ଦିର ନିର୍ମାଣ ପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁମାନେ ହୃଦୟ ଖୋଲି ଦାନ ପ୍ରଦାନ କରି ଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା ୫ ହଜାର କୋଟି ଟଙ୍କାରୁ ଅଧିକ ଦାନ ମିଳିଲାଣି। ଯେତେବେଳେ ରାମ ମନ୍ଦିର ପାଇଁ ଶିଳାନ୍ୟାସ ରଖାଗଲା ସେତେବେଳେ କେହି ଭାବି ନଥିଲେ ଯେ ଏତେ ମାତ୍ରାରେ ଦାନ ମିଳିବ ଓ ଆଉ ସେହି ଦାନର ସୁଧ ଅର୍ଥରେ ମଧ୍ୟ ମନ୍ଦିରର ପ୍ରଥମ ମହଲା ନିର୍ମାଣ ହୋଇଯିବ। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସୂଚନା ଅନୁଯାୟୀ, ମନ୍ଦିରର ସମର୍ପଣ ପାଣ୍ଠି ଆକାଉଣ୍ଟକୁ ବର୍ତ୍ତମାନ ସୁଦ୍ଧା ୩୨୦୦ କୋଟି ଟଙ୍କା ମିଳିଛି।
ତେବେ ପୂର୍ବରୁ ଦେଶର ୧୧ କୋଟି ଲୋକଙ୍କ ଠାରୁ ୯୦୦ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଡିସେମ୍ବର ସୁଦ୍ଧା ୫ ହଜାର କୋଟି ଟଙ୍କାରୁ ଅଧିକ ଦାନ ମିଳି ସାରିଛି। ଟ୍ରଷ୍ଟର ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୮ କୋଟି ରାମଭକ୍ତ ୩ଟି ବ୍ୟାଙ୍କର ସମର୍ପଣ ପାଣ୍ଠିରେ ପାଖାପାଖି ୩୨୦୦ କୋଟି ଟଙ୍କା ଜମା କରିଛନ୍ତି। ଏହି ବ୍ୟାଙ୍କ ଖାତାଗୁଡ଼ିକୁ ଆସିଥିବା ଦାନରାଶିକୁ ଯଦି ମିଆଦି ଜମା ଆକାରରେ ରଖି ଦିଆଯିବ ତାହେଲେ ସେଥିରୁ ଯେଉଁ ସୁଧ ମିଳିବ ସେହି ଅର୍ଥରେ ମନ୍ଦିରର ପ୍ରଥମ ମହଲା ନିର୍ମାଣ ହୋଇଯିବ।
ଟ୍ରଷ୍ଟର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଅଯୋଧ୍ୟାରେ ହେଉଥିବା ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ସବୁଠୁ ଅଧିକ ଦାନ ଆଧ୍ୟାତ୍ମିକ ଗୁରୁ ମୋରାରୀ ବାପୁ ଦେଇଛନ୍ତି। ସେ ୧୧.୩ କୋଟି ଟଙ୍କା ଦାନ ଦେଇଛନ୍ତି। ଗୁଜରାଟର ହୀରା ଗହଣା ବ୍ୟବସାୟୀ ଗୋବିନ୍ଦଭାଇ ଢୋଲକିଆ ୧୧ କୋଟି ଟଙ୍କାର ଦାନ ଦେଇଛନ୍ତି। ଆମେରିକା, କାନାଡ଼ା ଏବଂ ବ୍ରିଟେନରେ ଥିବା ରାମଭକ୍ତମାନେ ସାମୂହିକଭାବେ ୮ କୋଟି ଟଙ୍କା ଦାନ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ରାମ ମନ୍ଦିର ନିର୍ମାଣ ପାଇଁ ଦାନ ସଂଗ୍ରହ ଅଭିଯାନ ୨୦୨୧ ଜାନୁଆରି ୧୪ରେ ଆରମ୍ଭ ହୋଇଥିଲା। ସେତେବେଳର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥିପାଇଁ ସର୍ବପ୍ରଥମେ ୫ ଲକ୍ଷ ଟଙ୍କାର ଚାନ୍ଦା ଦେଇଥିଲେ। ସେହିଭଳି ପ୍ରଥମ ବିଦେଶୀ ଚାନ୍ଦା ଆମେରିକାରୁ ଆସିଥିଲା।