ନୂଆଦିଲ୍ଲୀ : ଦେଶରେ ଆଜି ଦୈନିକ ସଂକ୍ରମଣ ମାମଲାରେ ଅଚାନକ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟାରେ ୨,୧୮୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ପ୍ରାୟ ମାସକ ପରେ ଦେଶରେ ଦୈନିକ ସଂକ୍ରମଣ ୨ ହଜାର ଟପିଛି।‌ ଶେଷ ଥର ପାଇଁ ମାର୍ଚ୍ଚ ୧୯ରେ ଦୈନିକ ସଂକ୍ରମଣ ମାମଲା ୨,୦୭୫ ଥିଲା। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜି ପୁଣି ଉତ୍ତର ପ୍ରଦେଶ ଏବଂ ହରିୟାଣା ସରକାର ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି।

Advertisment

ଗତ ୨୪ ଘଣ୍ଟାରେ ୨୧୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏଥିମଧ୍ୟରୁ କେରଳରେ ସର୍ବାଧିକ ୨୧୨ ମୃତ୍ୟୁ ରେକର୍ଡ କରାଯାଇଛି। ତେବେ କେରଳର ଏସବୁ ପିଛିଲା ମୃତ୍ୟୁ। କୋର୍ଟଙ୍କ ନିର୍ଦ୍ଦେଶ ଏବଂ ସରକାରଙ୍କ ସଂଶୋଧନ ପରେ ଏହି ମୃତ୍ୟୁସଂଖ୍ୟା ତାଲିକାରେ ଯୋଡ଼ାଯାଇଛି। ଦେଶରେ ଲଗାତାର ୧୧ ସପ୍ତାହ ଧରି ସଂକ୍ରମଣ କମ୍‌ ରହିବାପରେ ଚଳିତ ସପ୍ତାହରେ ସଂକ୍ରମଣ ବଢ଼ିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ଗତ କିଛି ଦିନ ଧରି ସଂକ୍ରମଣ ବଢ଼ୁଛି। ରବିବାର ଦିନ ଦିଲ୍ଲୀରେ ୫୧୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ପଜିଟିଭ୍‌ ହାର ଏବେ ୪.୨୧ ପ୍ରତିଶତ ରହିଛି। ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୦.୩୨ ପ୍ରତିଶତ। ସକ୍ରିୟ ମାମଲା ଗତକାଲି ୧୧,୫୫୮ ଥିବାବେଳେ ଆଜି ଏହା ୧୧,୫୪୨ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୯୮୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୋଟ୍‌ ଆରୋଗ୍ୟ ହାର ୯୮.୭୬ ପ୍ରତିଶତ।