ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶ କରୋନା ସୁସ୍ଥତା ହାରରେ ରେକର୍ଡ ସୃଷ୍ଟି କରିଛି । ଗୋଟିଏ ଦିନରେ ୫୧,୭୦୬ ଜଣ ରୋଗୀ ସୁସ୍ଥ ହେବାରୁ ସୁସ୍ଥତା ହାର ଏପର୍ଯ୍ୟନ୍ତ ସର୍ବାଧିକ ୬୭.୧୯ ପ୍ରତିଶତରେ ପହଞ୍ଚିଛି । ଦିନକୁ ଦିନ ଏହା ବୃଦ୍ଧି ପାଇବାରେ ଲାଗିଛି । ଏପର୍ଯ୍ୟନ୍ତ ୧୨,୮୨,୨୧୫ ଜଣ ସୁସ୍ଥ ହୋଇଛନ୍ତି ଯାହାକି ସକ୍ରିୟ ମାମଲାଠାରୁ ଦୁଇଗୁଣରୁ ମଧ୍ୟ ଅଧିକ | ରୋଗୀମାନଙ୍କ ସୁସ୍ଥତା ହାର ବୃଦ୍ଧି ପାଇବାରେ ଲାଗିଛି ।

Advertisment

ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ପଦ୍ଧତିକୁ ପାଥେୟ କରିବାରୁ ଏହି ଆକାଂକ୍ଷିତ ଫଳ ମିଳିପାରିଛି । ଦ୍ରୁତ ନମୁନା ପରୀକ୍ଷା, ହସ୍ପିଟାଲ ଭିତ୍ତିଭୂମିର ବିକାଶ ଯୋଗୁଁ ସୁସ୍ଥତା ହାର ଗତ ୧୪ ଦିନ ମଧ୍ୟରେ ଶତକଡା ୬ ୬୩ ରୁ ୬୭କୁ ବୃଦ୍ଧି ପାଇଛି । ସୁସ୍ଥତା ହାରରେ ନିୟମିତ ଉନ୍ନତି ଯୋଗୁଁ ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ପାଖାପାଖି ୭ ଲକ୍ଷରେ ପହଞ୍ଚିଛି ।

ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ରୋଗୀ ସୁସ୍ଥ ହେଉଥିବାରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫,୮୬,୨୪୪କୁ ଖସି ଆସିଛି ଓ ସେମାନେ ଡାକ୍ତରୀ ତତ୍ଵାବଧାନରେ ଅଛନ୍ତି । ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମନ୍ଵୟ ଯୋଗୁଁ ମୃତ୍ୟୁ ହାର ମଧ୍ୟ ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ କମ ରହିଛି ଯାହା ବର୍ତ୍ତମାନ ୨.୦୯ରେ ପହଞ୍ଚିଛି ।