ଶିଶୁ ଅଧିକାର ବିପନ୍ନ, ଚାଲିଯିବେ ଦିନକୁ ୬ହଜାରରୁ ଅଧିକ ଶିଶୁ

ଜାତିସଂଘ: ବିଶ୍ବବ୍ୟାପୀ ଛାଇ ରହିଥିବା ମହାମାରୀ କୋଭିଡ୍-୧୯ ଧୀରେ ଧୀରେ ଶିଶୁମାନଙ୍କର ଅଧିକାରକୁ ବିପନ୍ନ କରୁଥିବା ଅଭିଯୋଗ ଉଠିଛି। ବିଶେଷ କରି ନିବାରଣକ୍ଷମ କାରଣ ସକାଶେ ଏହି ମହାମାରୀ ଶିଶୁମାନଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଦୁର୍ବଳ କରିପକାଉଛି। ଫଳସ୍ବରୂପ ଆଗାମୀ ଛଅ ମାସ ଭିତରେ ବିଶ୍ବରେ ଦିନକୁ ଆହୁରି ଅଧିକ ୬,୦୦୦ ଶିଶୁ ମୃତ୍ୟୁମୁଖରେ ପଡି଼ବେ ବୋଲି ‘ୟୁନିସେଫ୍’ ସତର୍କ କରାଇଦେଇଛି। ଆକଳନ ଅନୁଯାୟୀ, ନିଜର ପ‌ଞ୍ଚମ ଜନ୍ମଦିନ ଦେଖିବା ପୂର୍ବରୁ ଏତେ ସଂଖ୍ୟକ ଶିଶୁ ଆଗରୁ ଦଶନ୍ଧି ଦଶନ୍ଧି ଧରି କେବେ ଆଖିବୁଜିନାହାନ୍ତି ବୋଲି ‘ୟୁନିସେଫ୍‌’ ଚିନ୍ତାପ୍ରକଟ କରିଛି। ୧୧୮ଟି ନିମ୍ନ ଓ ମଧ୍ୟମ ଆୟବର୍ଗ ଦେଶରେ ଆଗାମୀ ଛଅ ମାସ ଭିତରେ ନିୟମିତ ସ୍ବାସ୍ଥ୍ୟସେବାରୁ ବ‌ଞ୍ଚିତ ହୋଇ ୧୨ ଲକ୍ଷ ଶିଶୁ ଆଖି ବୁଜିବାର ଆଶଙ୍କା ରହିଥିବା ‘ୟୁନିସେଫ୍’ ପ୍ରକାଶ କରିଛି।

ସୂଚନାଯୋଗ୍ୟ ଯେ କରୋନାଭୂତାଣୁ ଆବିର୍ଭାବ ହେବାର ପ‌ଞ୍ଚମ ମାସରେ ହିଁ ଏଥିରେ ପ୍ରଭାବିତ ହେଉଥିବା ଶିଶୁମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟାର ମୁକାବିଲା ପାଇଁ ୟୁନିସେଫ୍ ୧,୬୦୦ କୋଟି ଆମେରିକୀୟ ଡଲାରର ଆର୍ଥିକ ଅନୁଦାନ ଲୋଡି଼ଥିଲା। ଲକ୍‌ଡାଉନ୍ ସ୍ଥିତି ଯୋଗୁଁ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ଘରର ମୁରବିମାନେ କାମ ନକରି ଘରେ ବସିରହିଥିବାରୁ ପାରିବାରିକ ସମସ୍ୟା ମଧ୍ୟ ବଢ଼ିଯାଇଛି। ଅପରପକ୍ଷେ, ନିୟମିତ ଟିକାକରଣ ପ୍ରକ୍ରିୟା ମଧ୍ୟ ବ୍ୟାହତ ହୋଇଥିବାରୁ କୋଟିକୋଟି ଶିଶୁଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ଶିଶୁମାନଙ୍କର ଏହି ସ୍ବାସ୍ଥ୍ୟ ସମସ୍ୟା ଦିନକୁ ଦିନ ସେମାନଙ୍କ ଅଧିକାରକୁ କ୍ଷୁଣ୍ଣ କରିବାରେ ଲାଗିଛି। ଏ ଭଳି ସ୍ଥିତିରେ ଶିଶୁମାନଙ୍କ ରକ୍ଷଣାବେକ୍ଷଣ ପାଇଁ ଆଶୁ ପଦକ୍ଷେପ ନନେଲେ ସ୍ଥିତି ଆହୁରି ବିଗିଡ଼ିଯିବ ବୋଲି ‘ୟୁନିସେଫ୍‌’ର ନିର୍ବାହୀ ନିର୍ଦ୍ଦେଶକ ହେନରିଟା ଫୋର୍ ଆଶଙ୍କା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର