‌କେରଳରେ ୬ ହଜାରରୁ ଅଧିକ କରୋନା ମୃତକ ମିଳୁନାହାନ୍ତି

ତିରୁଅନନ୍ତପୁରମ : କେରଳରେ କରୋନା ମୃତ୍ୟୁ ସଂଖ୍ୟାରେ ତାଳମେଳ ନ ଥିବା ପଦାକୁ ଆସିଛି। ତଳସ୍ତରରେ ଡାକ୍ତରମାନେ ଯେଉଁମାନଙ୍କୁ କରୋନାରେ ମୃତ୍ୟୁ ବୋଲି ଦର୍ଶାଇଛନ୍ତି ତାହା ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରେ ଉଲ୍ଲେଖ ନାହିଁ। ଡାକ୍ତରମାନେ ଘୋଷଣା କରିଥିବା କରୋନା ମୃତ୍ୟୁ ସଂଖ୍ୟା ତୁଳନାରେ ସ୍ବାସ୍ଥ୍ୟ ବିଭାଗ ୬୩୪୯ ମୃତ୍ୟୁ ଦର୍ଶାଇଛି। ତେଣୁ କରୋନାରେ ଘୋଷିତ ମୃତ୍ୟୁ ଏବଂ ପଞ୍ଜୀକୃତ ମୃତ୍ୟୁ ସଂଖ୍ୟାରେ ଦେଖାଦେଇଥିବା ଏହି ପାର୍ଥକ୍ୟ ଚିନ୍ତା ବଢ଼ାଇଛି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ କେରଳରେ କରୋନାରେ ଜୁନ୍ ୨୦୨୧ ପର୍ଯ୍ୟନ୍ତ ୧୩୨୩୫ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। କିନ୍ତୁ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥା ଗୁଡ଼ିକ ପକ୍ଷରୁ ବାସ୍ତବରେ ୧୯୫୮୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି।

ସରକାରଙ୍କ କହିବାନୁଯାୟୀ, କରୋନା ମୃତ୍ୟୁ ପ୍ରମାଣପତ୍ର ଏକ ଡାକ୍ତରୀଦଳ ଦ୍ବାରା ଦିଆଯାଇଥାଏ। ଆଇସିଏମଆର୍ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାର୍ଗଦର୍ଶିକାକୁ ଏଥିରେ ଅନୁସରଣ କରାଯାଇଥାଏ। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ରୋଗୀଙ୍କୁ ଚିକିତ୍ସା କରିଥିବା ଡାକ୍ତରମାନେ ହିଁ ମୃତ୍ୟୁର କାରଣ ସଂପର୍କରେ ଜଣାଇବାକୁ ଅଧିକ ସକ୍ଷମ। ପଞ୍ଜୀକୃତ ମୃତ୍ୟୁ ଏବଂ ଘୋଷିତ ମୃତ୍ୟୁ ମଧ୍ୟରେ ପାର୍ଥକ୍ୟ ଥିବା ବିଷୟକୁ ରାଜ୍ୟ ସରକାର ସ୍ବୀକାର କରିଛନ୍ତି ଏବଂ ଏଥିରେ ରହିଥିବା ଅମେଳକୁ ଦୂର କରିବା ପାଇଁ ଆନୁଷ୍ଠାନିକ ଭାବେ ବ୍ୟକ୍ତିଗତ ଅଭିଯୋଗ ଆସିବାକୁ ଅପେକ୍ଷା କରାଯାଇଛି।

କେରଳରେ ୧୪ ଜିକା ମାମଲା: କେନ୍ଦ୍ରୀୟ ଟିମ୍‌ ପଠାଗଲା
ନୂଆଦିଲ୍ଲୀ : ଦେଶ କରୋନା ମହାମାରୀ ଦେଇ ଗତି କରୁଥିବାବେଳେ କେରଳରେ ଜିକା ଭାଇରସ୍‌ ନୂଆ‌ ଚ୍ୟାଲେଂଜ ସୃଷ୍ଟି କରିଛି। କେରଳରେ ୧୪ ଜିକା ଭାଇରସ୍‌ ମାମଲା ଚିହ୍ନଟ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ‌୍ କହିଛନ୍ତି। ୧୯ ନମୁନା ପରୀକ୍ଷା ‌‌ହୋଇଥିଲା। ସେଥିମଧ୍ୟରୁ ୧୪ଟି ପଜିଟିଭ୍‌ ଆସିଛି। ଏନେଇ ସମସ୍ତ ଜିଲ୍ଲାମାନଙ୍କୁ ସଚେତନ କରାଯାଇଛି ଏବଂ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ହୋଇଛି। ଆଜି କେନ୍ଦ୍ର ସରକାର କେରଳରେ ଜିକା ଭାଇରସ୍‌ ସ୍ଥିତି ନିୟନ୍ତ୍ରଣ ପାଇଁ ଏକ ବିଶେଷଜ୍ଞ ଟିମ୍‌ ପଠାଇଛନ୍ତି। ଟିମ୍‌ ପରିସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ସତର୍କତା ପଦକ୍ଷେପ ଗ୍ରହଣ ନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବ।

ସମ୍ବନ୍ଧିତ ଖବର