ସିରିଆ ଉପକୂଳରେ ଡଙ୍ଗାବୁଡ଼ି ୭୧ ମୃତ

ଦମାସ୍କସ୍ : ଯୁଦ୍ଧଗ୍ରସ୍ତ ସିରିଆରେ ମାନବୀୟ ସଂକଟ ବଢିବାରେ ଲାଗିଛି । ଗୁରୁବାର ରାତିରେ ସିରିଆ ଉପକୂଳରେ ଶରଣାର୍ଥୀ ଓ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଜାହାଜ ବୁଡ଼ିଯିବାରୁ ୭୧ ଜଣ ଲୋକ ପ୍ରାଣ ହରାଇଛନ୍ତି ।

ଏହି ଡଙ୍ଗାଟି ଉତ୍ତର ଲେବାନନର  ମିନିଆରୁ ବାହାରିଥିଲା ଓ ୟୁରୋପ ଅଭିମୁଖେ ଯାଉଥିଲା । ଏଥିରେ ୧୨୦ରୁ ୧୫୦ ଲୋକ ଥିଲେ । ସିରିଆର ଉଦ୍ଧାରକାରୀ ଦଳ ୨୦ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଆଉ କିଛି ଲୋକ ନିଖୋଜ ଅଛନ୍ତି ।

ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ ଲେବାନନର ଅକର ଅଂଚଳର ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣାରେ କିଛି ପରିବାରର ଏକାଧିକ ସଦସ୍ୟ ନିହତ ହୋଇଛନ୍ତି । ଶୁକ୍ରବାର ସକାଳେ କିଛି ମୃତ ଲୋକଙ୍କୁ କବର ଦିଆଯାଇଛି ।

ଉପସାଗରୀୟ ଦେଶ ଲେବାନନରେ ଏବେ ଗୁରୁତର ଆର୍ଥିକ ସଂକଟ ଦେଖାଦେଇଛି ଓ ଲେବାନିଜ୍ ପାଉଣ୍ଡ୍ ଗତ ବର୍ଷକ ମଧ୍ୟରେ ୯୦ ପ୍ରତିଶତ ହ୍ରାସ ପାଇଛି । ଏହା ଫଳରେ ଲୋକମାନଙ୍କ କ୍ରୟ କ୍ଷମତା ହ୍ରାସ ପାଇଛି ଓ ଲକ୍ଷ ଲକ୍ଷ ଲୋକ ବେରୋଜଗାର ହୋଇଯାଇଛନ୍ତି ଓ ଦାରିଦ୍ର୍ୟ ମଧ୍ୟରେ ରହୁଛନ୍ତି । ଏକ ଉତ୍ତମ ଜୀବନ ଆଶାରେ ସେମାନେ ଜଳପଥରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ  ୟୁରୋପ ପଳାଇଯାଉଛନ୍ତି ।

ସେହିପରି ସିରିଆରେ ଯୁଦ୍ଧ ଚାଲିଥିବାରେ ସେଠାକାର ଲୋକଙ୍କ ଅବସ୍ଥା ଦୟନୀୟ ହୋଇଯାଇଛି । ଏହି କାରଣରୁ ଲୋକମାନେ ଜଳଯାତ୍ରା କରି ୟୁରୋପ ପଳାଇ ଯାଉଛନ୍ତି ।

 

ସମ୍ବନ୍ଧିତ ଖବର