ଭାରତରେ ୭ ଲକ୍ଷରୁ ଅଧିକ ମୃତ୍ୟର କାରଣ ଅସ୍ବାଭାବିକ ତାପମାତ୍ରା: ଲାନ୍‌ସେଟ୍‌ ଅଧ୍ୟୟନ

ଦିଲ୍ଲୀ: ଲାନ୍‌ସେଟ୍ ପ୍ଲାନେଟାରି ହେଲ୍‌ଥ ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନର ରିପୋର୍ଟ ଅନୁସାରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତରେ ଅତିଶୟ ଗରମ ଓ ଅତିଶୟ ଥଣ୍ଡା ବା ଅସ୍ବାଭାବିକ ତାପମାତ୍ରା ଦେଖାଯାଉଛି, ଯେଉଁଥିପାଇଁ ବାର୍ଷିକ ପ୍ରାୟ ୭,୪୦,୦୦୦ ମୃତ୍ୟୁ ହେଉଛି। ଅଷ୍ଟ୍ରେଲିଆସ୍ଥିତ ମୋନାଶ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ନେତୃତ୍ବରେ ଏକ ଅନ୍ତଃରାଷ୍ଟ୍ରୀୟ ଟିମ୍‌ ଦ୍ବାରା ପ୍ରାପ୍ତ ତଥ୍ୟ ଅନୁସାରେ ଅସ୍ବାଭାବିକ ତାପମାତ୍ରା ହେତୁ ସାରା ବିଶ୍ବରେ ବାର୍ଷିକ ୫ ନିୟୁତରୁ ଅଧିକ ମୃତ୍ୟୁ ହୋଇପାରେ। ବୁଧବାର ପ୍ରକାଶିତ ଉକ୍ତ ଅଧ୍ୟୟନର ତଥ୍ୟ ଅନୁସାରେ ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ଅସ୍ବାଭାବିକ ତାପମାତ୍ରା ହେତୁ ସବୁ ଅଞ୍ଚଳରେ ମୃତ୍ୟୁହାର ବୃଦ୍ଧି ପାଇଛି। ତେଣୁ ବିଶ୍ବତାପନ ହେତୁ ଆଗାମୀ ଦିନରେ ଏହା ଏକ ଗମ୍ଭୀର ସମସ୍ୟାରେ ପରିଣତ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଗବେଷକମାନଙ୍କ କହିବା ଅନୁସାରେ, ଭାରତରେ ପ୍ରତିବର୍ଷ ମାତ୍ରାଧିକ ଥଣ୍ଡା ହେତୁ ୬,୫୫,୪୦୦ ଏବଂ ଅତିଶୟ ଗରମ ହେତୁ ୮୩,୭୦୦ ଲୋକଙ୍କ ମୃତ୍ୟୁ ଘଟୁଛି। ପ୍ରତି ଦଶନ୍ଧିରେ ବିଶ୍ବର ହାରାହାରି ତାପମାତ୍ରା ୦.୨୬ ଡିଗ୍ରି ସେଲ୍‌ସିୟସ୍ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ମୃତ୍ୟୁହାର ଓ ତାପମାତ୍ରା ତଥ୍ୟକୁ ନେଇ ଏହି ଅନୁଧ୍ୟାନ କରାଯାଇଥିଲା। ଅସ୍ବାଭାବିକ ତାପମାତ୍ରା ହେତୁ ବିଶ୍ବର ବାର୍ଷିକ ମୃତ୍ୟୁରେ ୯.୪୩ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଏଥିରେ କୁହାଯାଇଛି। ଏହା ପ୍ରତି ଲକ୍ଷେ ଲୋକରେ ଅତିରିକ୍ତ ୭୪ ଜଣଙ୍କ ମୃତ୍ୟୁ ସହ ସମାନ।

ସମ୍ବନ୍ଧିତ ଖବର