ୟୁକ୍ରେନ୍ ଯୁଦ୍ଧରେ ୭୫,୦୦୦ରୁ ଅଧିକ ରୁଷ୍ ସୈନ୍ୟ ମୃତାହତ ହେଲେଣି: ଆମେରିକା

ୱାସିଂଟନ: ୟୁକ୍ରେନ୍ ସହ ଯୁଦ୍ଧରେ ରୁଷିଆର କେତେ ସୈନ୍ୟ ମରିଛନ୍ତି ତା’ର ଏକ ଆକଳନ କରିଛି ଆମେରିକା। ନିକଟରେ ୟୁକ୍ରେନ୍ ଗସ୍ତ କରିଥିବା ଜଣେ ସାଂସଦ ବୁଧବାର କହିଛନ୍ତି ଯେ ଆମେରିକାର ବୈଦେଶିକ ବିଭାଗ, ପ୍ରତିରକ୍ଷା ବିଭାଗ ଓ ଗୋଇନ୍ଦା ବିଭାଗର ଆକଳନ ଅନୁସାରେ ୟୁକ୍ରେନ୍ ଯୁଦ୍ଧରେ ଅଦ୍ୟାବଧି ରୁଷିଆର ୭୫,୦୦୦ରୁ ଅଧିକ ସୈନ୍ୟ ମରିଛନ୍ତି ବା ଆହତ ହୋଇଛନ୍ତି। ଗତ ସପ୍ତାହରେ ସିଆଇଏ ନିର୍ଦ୍ଦେଶକ ଆକଳନ କରି କହିଥିଲେ ଯେ ଏହି ଯୁଦ୍ଧରେ ରୁଷିଆର ପ୍ରାୟ ୬୦,୦୦୦ ସୈନ୍ୟ ମରିଛନ୍ତି ବା ଆହତ ହୋଇଛନ୍ତି। ଆଉ କେତେକଙ୍କ ଆକଳନ ୮୦,୦୦୦ ଡେଇଁଛି। ବାଇଡେନ୍ ପ୍ରଶାସନ କହିଛି ଯେ ବର୍ତ୍ତମାନର ଆକଳନ ଠିକ୍। କାରଣ ଗତ ଫେବ୍ରୁଆରି-ମାର୍ଚ୍ଚରେ ୟୁକ୍ରେନ୍ ଭିତରେ ପ୍ରାୟ ଦେଢ଼ ଲକ୍ଷ ରୁଷ୍ ସୈନ୍ୟ ପଶିଥିଲେ। ବର୍ତ୍ତମାନ ଅଛନ୍ତି ପ୍ରାୟ ୭୫,୦୦୦। ତେଣୁ ବାକି ୭୫,୦୦୦ ଯୁଦ୍ଧରେ ମୃତାହତ ହୋଇଥିବା ନିଶ୍ଚିତ। କିନ୍ତୁ ଉଭୟ ପକ୍ଷ ସେମାନଙ୍କ ମୃତାହତଙ୍କ ସଂଖ୍ୟା ଲୁଚାଉଛନ୍ତି।

ନିକଟରେ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କିଙ୍କ ଜଣେ ବରିଷ୍ଠ ପରାମର୍ଶଦାତା କହିଥିଲେ ଯେ ପ୍ରତିଦିନ ୟୁକ୍ରେନ୍‌ର ୧୦୦ରୁ ୨୦୦ ସୈନ୍ୟ ମରୁଛନ୍ତି। ଯୁଦ୍ଧ ଆରମ୍ଭ ହେବାର କିଛି ସପ୍ତାହ ପରେ ଆମେରିକୀୟ ଅଧିକାରୀମାନେ କହିଥିଲେ ଯେ ୭୦୦୦ରୁ ଅଧିକ ରୁଷ୍ ସୈନ୍ୟ ମରିଛନ୍ତି, ଯାହା ଇରାକ ଓ ଆଫଗାନ ଯୁଦ୍ଧରେ ମରିଥିବା ଆମେରିକା ସୈନ୍ୟଙ୍କ ମିଳିତ ସଂଖ୍ୟାଠାରୁ ଢେର୍ ଅଧିକ। କିନ୍ତୁ ମାର୍ଚ୍ଚ ୨୫ରେ ରୁଷିଆ କହିଥିଲା ଯେ ମାତ୍ର ୧,୩୫୧ ଜଣ ସୈନ୍ୟ ମରିଛନ୍ତି। ଗତ ମଙ୍ଗଳବାର ଜେଲନ୍‌ସ୍କି ଦାବି କରିଥିଲେ ଯେ ପ୍ରାୟ ୪୦,୦୦୦ ରୁଷ୍ ସୈନ୍ୟଙ୍କୁ ସେମାନେ ଏ ପର୍ଯ୍ୟନ୍ତ ମାରିଛନ୍ତି। ତାଙ୍କର ଏହି ଦାବି ଆମେରିକା ଆକଳନ ସହ ମେଳ ଖାଉଥିବା ବେଳେ ଅନେକ ଏହାକୁ ମନଗଢ଼ା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର