ସମ୍ପୂର୍ଣ୍ଣ ହୋଇଛି ୮୫ ହଜାରରୁ ଅଧିକ ଜଳଅମଳ ପ୍ରକଳ୍ପ

ନୂଆଦିଲ୍ଲୀ : କରୋନ ମହାମାରୀ ବ୍ୟାପିବା ପରେ ଗାଁକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକ ଏବଂ ସ୍ଥାନୀୟ କର୍ମଜୀବୀଙ୍କୁ ଜୀବିକା ଊପାର୍ଜନ ପାଇଁ ନିଯୁକ୍ତି ସୁଯୋଗ ଯୋଗାଇଦେବା ନିମନ୍ତେ ଗରିବ କଲ୍ୟାଣ ରୋଜଗାର ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଓଡିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ଭଳି ଅଧିକ ଶ୍ରମିକ ବହୁଳ ଏବଂ ପ୍ରବାସୀ ଶ୍ରମିକପ୍ରବଣ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଏହା ବେଶ୍‌ ଦ୍ରୁତଗତିରେ ଆଗେଇ ଚାଲିଛି । ଏସବୁ ରାଜ୍ୟର ମୋଟ ୧୧୬ଟି ଜିଲ୍ଲାରେ ଏହା ସଫଳତାର ସହ କାର୍ଯ୍ୟକାରୀ ହେବା ସହିତ ଗ୍ରାମବାସୀମାନଙ୍କୁ ରୋଜଗାର ଯୋଗାଇ ସଶକ୍ତ କରୁଛି ।

ସୂଚନା ଅନୁସାରେ, ଏହି ଯୋଜନା କାର୍ଯ୍ୟକାରୀ ହେବାର ନବମ ସପ୍ତାହ ସୁଦ୍ଧା ୨୪ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯାଇଛି । ଏପର୍ଯ୍ୟନ୍ତ ଏହି ଯୋଜନାରେ ବିଭିନ୍ନ କାର୍ଯ୍ୟ ପାଇଁ ମୋଟ ୧୮,୮୮୬ କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏସବୁ ଜିଲ୍ଲାରେ ବହୁ ସଂଖ୍ୟକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଏଥିମଧ୍ୟରେ ୮୫, ୭୮୬ଟି ଜଳଅମଳ ପ୍ରକଳ୍ପ, ୨,୬୩,୮୪୬ଟି ଗ୍ରାମାଞ୍ଚଳ ଘର, ୧୯,୩୯୭ ଗୁହାଳ, ୧୨,୭୯୮ ଚାଷ ପୋଖରୀ ଏବଂ ୪,୨୬୦ ଗୋଷ୍ଠୀ ଶୌଚାଳୟ ଅନ୍ତର୍ଭୁକ୍ତ ।

ସମ୍ବନ୍ଧିତ ଖବର