ବିଶ୍ବବ୍ୟାପୀ ୯୦ ହଜାରରୁ ଅଧିକ ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତ

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ୯୦ହଜାରରୁ ଅଧିକ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି। କରୋନା ଯୋଗୁଁ ସମଗ୍ର ବିଶ୍ବରେ ୨୬୦ରୁ ଅଧିକ ନର୍ସ‌୍‌ଙ୍କର ମୃତ୍ୟୁ ହୋଇଛି। ଆଇସିଏନ୍‌ (ଆନ୍ତର୍ଜାତୀୟ ନର୍ସ‌୍ ପରିଷଦ) ପକ୍ଷରୁ ଏହା ଜଣାପଡ଼ିଛି। ତେବେ ପିପିଇ ଅଭାବରୁ ସ୍ବାସ୍ଥ୍ୟକର୍ମୀମାନେ ଅଧିକ ସଂକ୍ରମଣର ଶିକାର ହେଉଛନ୍ତି ବୋଲି କୁହାଯାଇଛି। ଆଇସିଏନ୍‌ ସୂଚନାନୁଯାୟୀ ଗତ ଗୋଟିଏ ମାସ ପୂର୍ବରୁ କରୋନା ମହାମାରୀ ଯୋଗୁଁ ୧୦୦ ନର୍ସଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ସଂକ୍ରମଣ ବଢ଼ିବା ସହ ସେବାରେ ନି‌ୟୋଜିତ ହୋଇଥିବା ନର୍ସ‌୍‌ମାନେ ଅଧିକରୁ ଅଧିକ ସଂକ୍ରମିତ ହୋଇଛନ୍ତି। ଆଇସିଏନ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କହିବା ଅନୁଯାୟୀ ଆକଳନଠାରୁ ମଧ୍ୟ ଆହୁରି ଅଧିକ ସଂଖ୍ୟାରେ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇପାରିଥାନ୍ତି। କାରଣ ଯେଉଁ ତଥ୍ୟ ପ୍ରସ୍ତୁତ ହୋଇଛି ସେଥିରେ ସବୁ ଦେଶର ତଥ୍ୟକୁ ସାମିଲ କରାଯାଇନାହିଁ।

ଜାତୀୟ ନର୍ସିଂ ସଂଗଠନ, ସରକାରୀ ତଥ୍ୟ ଏବଂ ଗଣମାଧ୍ୟମ ରିପୋର୍ଟରୁ ସଂଗୃହୀତ ତଥ୍ୟରୁ ଏହା ଆକଳନ କରାଯାଇଛି ଯେ ବିଶ୍ବବ୍ୟାପୀ ଏବେ ୯୦ ହଜାରରୁ ଅଧିକ ନର୍ସ‌୍ ସଂକ୍ରମିତ ହୋଇଛନ୍ତି। ଆଇସିଏନ୍‌ ୧୩୦ଟି ଜାତୀୟ ସଂଗଠନକୁ ପ୍ରତିନିଧିତ୍ବ କରୁଛି ଏବଂ ୨୦ ନିୟୁତରୁ ଅଧିକ ନର୍ସ‌୍ ଆଇସିଏନ୍‌ରେ ପଂଜୀକୃତ ହୋଇଛନ୍ତି। ଅନ୍ୟପକ୍ଷେ ବିଶ୍ବବ୍ୟାପୀ ଏବେ ୨ଲକ୍ଷରୁ ଅଧିକ ନର୍ସ‌୍ ସଂକ୍ରମଣର ଶିକାର ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷେ ଡବ୍ଲ୍ୟୁଏଚ୍ଓ ପକ୍ଷରୁ ଏହା କୁହାଯାଇଛି ଯେ, ୧୯୪ଟି ସଦସ୍ୟ ରାଷ୍ଟ୍ର ସ୍ବାସ୍ଥ୍ୟ କର୍ମୀଙ୍କ ସଂକ୍ରମଣ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରିନାହାନ୍ତି। ଡବ୍ଲ୍ୟୁଏଚ୍ଓ ପକ୍ଷରୁ ଗତ ଏପ୍ରିଲ ୧୧ ତାରିଖରେ କୁହାଯାଇଥିଲା ଯେ, ବିଶ୍ବବ୍ୟାପୀ ୨୨ ହଜାର ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି।

ସମ୍ବନ୍ଧିତ ଖବର