ନୂଆଦିଲ୍ଲୀ : ୫ ରାଜ୍ୟରେ ଦେଶର ଅର୍ଦ୍ଧାଧିକ କୋଭିଡ୍‌ ସକ୍ରିୟ ମାମଲା ରହିଛି। ଦେଶରେ ମୋଟ୍‌ ସକ୍ରିୟ ମାମଲା ୮୬,୪୧୫ ଥିବା ବେଳେ ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗରେ ମୋଟ୍‌ ୬୭,୩୭୭ ସକ୍ରିୟ ମାମଲା ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟରୁ ଜଣାପଡ଼ିଛି। ଦେଶର ମୋଟ୍‌ ସକ୍ରିୟ ମାମଲାର ୪୦.୩୧ ପ୍ରତିଶତ କେବଳ କେରଳରେ ରହିଛି। କେରଳରେ ସକ୍ରିୟ ମାମଲା ଏବେ ୩୪,୮୩୬। କେରଳ ପରେ ମହାରାଷ୍ଟ୍ରରେ ସକ୍ରିୟ ମାମଲା ୧୦,୩୭୨ ଥିବାବେଳେ ପଶ୍ଚିମବଙ୍ଗ , ତାମିଲନାଡ଼ୁ ଏବଂ କର୍ଣ୍ଣାଟକରେ ସକ୍ରିୟ ମାମଲା ଯଥାକ୍ରମେ ୭,୫୦୬, ୭୪୭୬ ଏବଂ ୭,୧୮୭ ରହିଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ଦେଶରେ ୭,୪୪୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।

Advertisment

ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୪୭,୨୬,୦୪୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୩୯୧ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪,୭୬,୮୬୯କୁ ବୃଦ୍ଧି ପାଇଛି। ଗତ ୫୦ ଦିନ ଧରି ଦେଶରେ ନୂଆ ସଂକ୍ରମଣ ମାମଲା ୧୫ ହଜାର ତଳେ ରହିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୨୫ ପ୍ରତିଶତ। ମାର୍ଚ୍ଚ ୨୦୨୦ ପରେ ଏହା ସବୁଠାରୁ କମ୍‌। ଦେଶରେ ଜାତୀୟ ଆରୋଗ୍ୟ ହାର ୯୮.୩୮ ପ୍ରତିଶତ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୧,୪୧,୩୧୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ କେରଳରେ ୪୩,୯୪୬, କର୍ଣ୍ଣାଟକରେ ୩୮,୨୭୯, ତାମିଲନାଡ଼ୁରେ ୩୬,୬୫୬, ଦିଲ୍ଲୀରେ ୨୫,୧୦୦, ଉତ୍ତରପ୍ରଦେଶରେ ୨୨,୯୧୫ ଏବଂ ପଶ୍ଚିମବଙ୍ଗରେ ୧୯,୬୪୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ଦେଶରେ ମୋଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩କୁ ବୃଦ୍ଧି ପାଇଛି। ଆଜି ମହାରାଷ୍ଟ୍ରରେ ୮ ନୂଆ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଥିବାବେଳେ କେର‌ଳରେ ୨ ଏବଂ ଗୁଜରାଟରେ ୨ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀ‌ରେ ଆଜି ୧୦ ନୂଆ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। ଏଥିସହ ଦେଶରେ ମୋଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩ ପହଞ୍ଚିଛି। ମହାରାଷ୍ଟ୍ରରେ ମୋଟ୍‌ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୪୦ ପହଞ୍ଚିଛି।

‌କୋଭଭାକ୍ସକୁ ‘ହୁ’ର ସ୍ବୀକୃତି

publive-image

ନୂଆଦିଲ୍ଲୀ : ସିରମ୍‌ର କୋଭଭାକ୍ସ ଟିକାକୁକୁ ‘ହୁ’ (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ) ଜରୁରୀ ବ୍ୟବହାର ପାଇଁ ସ୍ବୀକୃତି ଦେଇଛନ୍ତି। ଏସ୍‌ଆଇଆଇ (ସିରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ) ଏବଂ ଆମେରିକାର ନୋଭଭାକ୍ସର ମିଳିତ ସହଯୋଗରେ ଏହି କୋଭଭାକ୍ସ ଟିକା‌ ପ୍ରସ୍ତୁତ ହୋଇଛି।

ଏକ ପ୍ରେସ୍‌ ବିବୃତି ଜାରି କରି ହୁ କହିଛି ଯେ ଏହା କୋଭଭାକ୍ସକୁ ଇୟୁଏଲ୍‌ (ଏମର୍ଜେନ୍ସି ୟୁଜ୍‌ ଲିଷ୍ଟିଙ୍ଗ୍‌) ଦେଇଛନ୍ତି। ଉକ୍ତ ଘୋଷଣା ପରେ ଏସ୍‌ଆଇଆଇ ସିଇଓ ଆଦର ପୁନାୱାଲା କହିଛନ୍ତି, କରୋନା ମହାମାରୀ ବିରୋଧରେ ଲଢ଼େଇ କ୍ଷେତ୍ରାରେ ଏହା ଆଉ ଏକ ମାଇଲ୍‌ ଖୁଣ୍ଟ। କୋଭଭାକ୍ସର ଏମର୍ଜେନ୍ସି ବ୍ୟବହାର ପାଇଁ ‘ହୁ’ ସ୍ବୀକୃତି ଦେଇଥିବାରୁ ଏହା ଉତ୍ପାଦନ ପ୍ରକ୍ରିୟା ବ୍ୟାପକ ହେବ ବୋଲି ଜଣାପଡ଼ିଛି।