୫ ଦେଶରେ ବିଶ୍ବର ଅର୍ଦ୍ଧାଧିକ ସଂକ୍ରମଣ, ଆମେରିକାରେ ୨୦ ଲକ୍ଷ ଟପିଲା

ପାକିସ୍ତାନର ରେଳମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ସଂକ୍ରମିତ

ନୂଆଦିଲ୍ଲୀ: ବିଶ୍ବରେ କରୋନା ସଂକ୍ରମଣ ମାମଲା ୭୧ ଲକ୍ଷ ଟପିଯାଇଛି। ବିଶ୍ବରେ ମୋଟ୍‌ ମାମଲାର ଅର୍ଦ୍ଧାଧିକ ସଂକ୍ରମଣ କେବଳ ୫ଟି ରାଷ୍ଟ୍ରରୁ ଚିହ୍ନଟ କରାଯାଇଛି। ଆମେରିକାରେ ସଂକ୍ରମଣ ମାମଲା ୨୦ ଲକ୍ଷ ଟପିଥିବାବେଳେ ଏହା ପଛକୁ ବ୍ରାଜିଲ୍‌ରେ ମାମଲା ପ୍ରାୟ ୭ ଲକ୍ଷରେ ପହଞ୍ଚିବ। ସେହିପରି ରୁଷ୍‌, ବ୍ରିଟେନ୍‌ ଏବଂ ଭାରତରେ ମଧ୍ୟ ସଂକ୍ରମଣ ମାମଲା ବଢ଼ି ଚାଲିଛି। ବ୍ରାଜିଲ୍‌ରେ ସଂକ୍ରମଣ ୬ ଲକ୍ଷ ୯୧ ହଜାରରେ ପହଞ୍ଚିଥିବାବେଳେ ରୁଷ୍‌ରେ ସଂକ୍ରମଣ ୪ ଲକ୍ଷ ୭୬ ହଜାର ରହିଛି। କିନ୍ତୁ ଉପରୋକ୍ତ ରାଷ୍ଟ୍ର ଗୁଡ଼ିକରେ ଟେଷ୍ଟିଂ ଭିନ୍ନ ରହୁଛି। ଆମେରିକାରେ ୨ କୋଟିରୁ ଅଧିକ କରୋନା ଟେଷ୍ଟ୍‌ କରାଯାଇଥିବାବେଳେ ଚଳିତ ସପ୍ତାହରେ ଆମେରିକା ଏହାର ‌ଟେଷ୍ଟିଂ କ୍ଷମତାକୁ ବଢ଼ାଇ ଦେଇଛି। ଆମେରିକା ତୁଳନାରେ ବ୍ରାଜିଲ୍‌ ଓ ଭାରତରେ ଅଧିକ ଟେଷ୍ଟ୍‌ କରାଗଲେ ଏହି ଦୁଇ ଦେଶରେ ଆହୁରି ଅଧିକ ମାମଲା ବାହାରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଆମେରିକା ତୁଳନାରେ ଭାରତର ଜନସଂଖ୍ୟା ବହୁତ ଅଧିକ ଥିବାରୁ ଭାରତ ଯଦି ଅଧିକରୁ ଅଧିକ ଟେଷ୍ଟ୍‌ କରିବ ଭାରତରେ ମଧ୍ୟ ଅଧିକ ସଂକ୍ରମଣ ମାମଲା ବାହାରିବ ବୋଲି କୁହାଯାଉଛି।

ଅନ୍ୟପକ୍ଷେ ପାକିସ୍ତାନରେ ସଂକ୍ରମଣ ମାମଲା ୧ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନରେ ୪,୭୨୮ ନୂଆ ମାମଲା ଚିହ୍ନଟ ହୋଇଛି। ପାକିସ୍ତାନରେ ମୋଟ୍‌ ୨ ହଜାର ୬୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପିଏମ୍‌ଏଲଏନ୍‌ ନେତା ଶାହିଦ ଖକାନ୍‌ ଅବ୍ବାସୀ ଏବଂ ବର୍ତ୍ତମାନର ରେଳମନ୍ତ୍ରୀ ଶେଖ ରସିଦ ଅହମ୍ମଦ କରୋନା ସଂକ୍ରମିତ ହୋଇଛନ୍ତି। ନୱାଜ ସରିଫ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ପରେ ୬୧ ବର୍ଷୀୟ ଅବ୍ବାସୀ ୨୦୧୭ ଅଗଷ୍ଟରୁ ୨୦୧୮ ମେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ। ଉଭୟ ନେତା ଏବେ ଘରେ ଏକାନ୍ତବାସରେ ରହିଛନ୍ତି।

ସମ୍ବନ୍ଧିତ ଖବର