ପାକିସ୍ତାନରେ ଭାରତର କ୍ଷେପଣାସ୍ତ୍ର ପଡ଼ିବା ଘଟଣା: ଏକାଧିକ ବାୟୁସେନା ଅଧିକାରୀ ଦାୟୀ, ତୁରନ୍ତ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଗତ ୯ ତାରିଖରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ହୋଇ ପାକିସ୍ତାନ ଅଞ୍ଚଳରେ ପଡ଼ିଥିଲା। ଏଥିପାଇଁ ଭାରତ ଦୁଃଖ ପ୍ରକାଶ କରିବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଘୋଷଣା କରିଥିଲା। ଏବେ ତଦନ୍ତ ଶେଷ ହୋଇଥିବା ବେ‌ଳେ ଏଭଳି ଭୁଲ ପାଇଁ ଏକାଧିକ ବାୟୁସେନା ଅଧିକାରୀ ଦାୟୀ ଥିବା ଭାଇସ୍ ଏୟାର ମାର୍ସାଲ୍ ଆର.କେ ସିହ୍ନାଙ୍କ ତଦନ୍ତରୁ ଜଣାପଡ଼ିଛି।

ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ପାକିସ୍ତାନକୁ ଭୁଲବଶତଃ କ୍ଷେପଣାସ୍ତ୍ର ଉତକ୍ଷେପଣ ପଛରେ ଏକାଧିକ ବାୟୁସେନା ଅଧିକାରୀ ଦାୟୀ ବୋଲି ଭାଇସ୍ ଏୟାର ମାର୍ସାଲ୍ ଆର.କେ ସିହ୍ନାଙ୍କ ଅନୁସନ୍ଧାନରୁ ଜଣାପଡିଛି। ସେମାନଙ୍କ ବିରୋଧରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

‌ତେବେ ପୂର୍ବରୁ ଏହି ଘଟଣାକୁ ନେଇ ପାକିସ୍ତାନ ବୈଦେଶିକ ବିଭାଗ ପକ୍ଷରୁ ବିବୃତି ଜାରି କରି କୁହାଯାଇଥିଲା ଯେ କ୍ଷେପଣାସ୍ତ୍ର ପରିଚାଳନାରେ ଭାରତର ଏଭଳି ଗୁରୁତର ତ୍ରୁଟି କୌଣସି ପରିସ୍ଥିତିରେ ବି ଗ୍ରହଣୀୟ ନୁହେଁ। ଏହାକୁ କେବଳ ବୈଷୟିକ ତ୍ରୁଟି ବୋଲି କହିଦେଲେ ଚଳିବ ନାହିଁ। ଏକ୍ଷେତ୍ରରେ ଅନେକ ଗୁରୁତର ତ୍ରୁଟି ରହିଛି। ତେଣୁ ଏହାର ବ୍ୟାପକ ତଦନ୍ତ ହେବା ଦରକାର। କ୍ଷେପଣାସ୍ତ୍ର ପାକିସ୍ତାନ ସୀମାରେ ପଡ଼ିଥିବାରୁ ଏହି ତଦନ୍ତରେ ପାକିସ୍ତାନକୁ ମଧ୍ୟ ସାମିଲ କରାଯାଉ। ପରମାଣୁ ପରିବେଶରେ ଭାରତର ଏଭଳି ଖାମଖିଆଲି ମନୋଭାବ ପ୍ରତି ଆନ୍ତର୍ଜାତିକ ସମୁଦାୟ ଗୁରୁତ୍ବର ସହ ନେବା ଉଚିତ ବୋଲି ପାକିସ୍ତାନ ଦାବି କରିଥିଲା। ଭାରତର ଏହି ସୁପରସୋନିକ କ୍ଷେପଣାସ୍ତ୍ର ଉଭୟ ଦେଶର ବେସାମରିକ ବିମାନ ସେବା ପ୍ରତି ବିପଦ ସୃଷ୍ଟି କରିଥିଲା ବୋଲି ପାକିସ୍ତାନ ଅଭିଯୋଗ କରିଥିଲା। ଏହାସହିତ ପାକିସ୍ତାନ ଇସଲାମାବାଦ ସ୍ଥିତି ଭାରତୀୟ ହାଇକମିସନରଙ୍କୁ ଡାକି ଏହି ଘଟଣାର ଅଭିଯୋଗ ମଧ୍ୟ କରିଥିଲା।

ସମ୍ବନ୍ଧିତ ଖବର