ଯୁଦ୍ଧ ଯୋଗୁଁ ୟୁକ୍ରେନ ଛାଡ଼ିଲେ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକ

କିବ: ୟୁକ୍ରେନ ଉପରେ ଋଷ ଆକ୍ରମଣର ୧୦ ଦିନ ବିତିବା ପରେ ମଧ୍ୟ ଯୁଦ୍ଧର ତୀବ୍ରତା କମୁ ନାହିଁ। ୟୁଏନଏଚସିଆର ଦେଇଥିବା ରିପୋର୍ଟ ଅନୁଯାୟୀ ଋଷ ଆକ୍ରମଣ ପରେ ୮ ଦିନରେ ପାଖାପାଖି ୧୦ ଲକ୍ଷ ନାଗରିକ ୟୁକ୍ରେନ ଛାଡିଛନ୍ତି। ଗତ ୧୦୦ ବର୍ଷ ମଧ୍ୟରେ ଏତେ ଅଧିକ ଲୋକ ୟୁକ୍ରେନ ଛାଡିବା ଘଟଣା ପ୍ରଥମ ।

ୟୁଏନଏଚସିଆର ଅନୁସାରେ ୟୁକ୍ରେନରୁ ପଳାୟନ କରିଥିବା ଲୋକଙ୍କ ସଂଖ୍ୟା ୟୁକ୍ରେନର ଜନସଂଖ୍ୟାର ୨ ପ୍ରତିଶତରୁ ବି ଅଧିକ। ୟୁକ୍ରେନର ନାଗରିକ ରୋମାନିଆ, ପୋଲାଣ୍ଡ, ମୋଲଡୋଭା, ସ୍ଲୋଭାକିଆ ଓ ହଙ୍ଗେରୀରେ ଶରଣ ନେଉଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୬.୫ ଲକ୍ଷ ୟୁକ୍ରେନର ନାଗରିକ ପୋଲାଣ୍ଡରେ ଶରଣ ନେଇଛନ୍ତି। ୫୩ ହଜାର ଶରଣାର୍ଥୀ ୟୁକ୍ରେନ ଉପରେ ଆକ୍ରମଣ କରିଥିବା ଦେଶ ଋଷରେ ପହଞ୍ଚିଛନ୍ତି।

ବିଶ୍ଵ ବ୍ୟାଙ୍କ ଅନୁସାରେ ୨୦୨୦ ମସିହା ଶେଷ ସୁଦ୍ଧା ୟୁକ୍ରେନର ଜନସଂଖ୍ୟା ୪.୪ କୋଟି ଥିଲା। ପରିସ୍ଥିତି ଆହୁରି ଅଧିକ ଖରାପ ହେଲେ ପାଖାପାଖି ୪୦ ଲକ୍ଷ ନାଗରିକ ଅନ୍ୟ ଦେଶରେ ଶରଣ ନେବାକୁୁ ବାଧ୍ୟ ହେବେ ବୋଲି ୟୁଏନଏଚସିଆର ଆଶଙ୍କା ପ୍ରକାଶ କରିଛି।

ସୂଚନା ଅନୁସାରେ କେରୋଲିନା ଲିଣ୍ଡହମ୍ (ୟୁଏନଏଚସିଆର୍ ପ୍ରତିନିଧି) କହିଛନ୍ତି ଯେ, ସେହି ଲୋକମାନଙ୍କ ସଂଖ୍ୟା ଉପରେ ନଜର କରାଯାଉଛି ଯେଉଁମାନେ ପଡୋଶୀ ଦେଶରେ ଶରଣ ନେଇଛନ୍ତି। କିନ୍ତୁ ଯୁଦ୍ଧ ପ୍ରଭାବିତ ଲୋକଙ୍କ ସବୁଠୁ ବଡ ସଂଖ୍ୟା ୟୁକ୍ରେନରେ ହିଁ ଅଛନ୍ତି। ପଳାୟନ କରୁଥିବା ଲୋକଙ୍କ ସବୁଠୁ ବଡ ସଂଖ୍ୟା ୨୦୧୧ରେ ଦେଖା ଦେଇଥିଲା। ସେତେବେଳେ ସିରିୟା ଯୁଦ୍ଧ ଯୋଗୁଁ ୫୭ ଲକ୍ଷ ଲୋକଙ୍କୁ ଦେଶ ଛାଡିବାକୁ ପଡିଥିଲା। ୟୁକ୍ରେନ-ଋଷ ଯୁଦ୍ଧରେ ସବୁଠାରୁ କମ ଲୋକ ବେଲାରୁଷ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର