ନୂଆଦିଲ୍ଲୀ: ଭାରତୀୟ ସେନାରେ ସୈନିକଙ୍କ ଅଭାବ । କମ ଯବାନରେ ଦେଶକୁ ସୁରକ୍ଷା ଦେଉଛି ଭାରତୀୟ ସେନା । ବର୍ତ୍ତମାନ ସମୟରେ ଭାରତୀୟ ସେନାରେ ୧୭% ଅଧିକାରୀଙ୍କ ଅଭାବ ରହିଥିବାବେଳେ, ପ୍ରାୟ ୮% ସୈନିକଙ୍କ ଅଭାବ ରହିଛି । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ସଂସଦର ସ୍ଥାୟୀ କମିଟିକୁ ସୂଚନା ଦେଇଛି । ତେବେ ଏହି ଅଭାବକୁ ଯଥାଶୀଘ୍ର ପୂରଣ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି ।

Advertisment

ବର୍ତ୍ତମାନ ସମୟରେ ଭାରତୀୟ ସେନାରେ ମୋଟ ୧୨ ଲକ୍ଷ ୪୮ ହଜାର ସୈନିକ ଅଛନ୍ତି । ହେଲେ ଏବେ ବି ୧ ଲକ୍ଷ ଯବାନଙ୍କ ଅଭାବ ଭିତରେ ସୁରକ୍ଷା ଦେଉଛି ଭାରତୀୟ ସେନା । ତେବେ ଏଲଓସି ଏବଂ ଏଲଏସିରେ ଅଧିକ ସଂଖ୍ୟକ ଯବାନ ଏବେ ମୁତୟନ ହେବାରେ ଲାଗିଛନ୍ତି, ଯାହାକି ଏହି ଅଭାବକୁ ଆହୁରି ବଢ଼ାଇ ଦେଉଛି । ବର୍ତ୍ତମାନ ସମୟରେ ଏଲଏସିରେ ପାଖାପାଖି ୫୦ ହଜାରରୁ ଅଧିକ ସୈନିକ ମୁତୟନ ଅଛନ୍ତି । ଅନ୍ୟପଟେ ଜମ୍ମୁରେ ଆତଙ୍କବାଦୀ କାର୍ଯ୍ୟକଳାପ ପରେ ସେଠାରେ ଅତିରିକ୍ତ ୧୫ ହଜାର ସୈନିକଙ୍କୁ ମୁତୟନ କରାଯାଇଛି । ଯେଉଁ କାରଣରୁ ଭାରତୀୟ ସେନାରେ ଏହି ଅଭାବ ଏବେ ପ୍ରଭାବ ପକାଉଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସଂସଦର ସ୍ଥାୟୀ କମିଟିକୁ ଅବଗତ କରାଯାଇଛି ଯେ, ଭାରତୀୟ ସେନାରେ ବର୍ତ୍ତମାନ ଅଧିକାରୀଙ୍କ ସଂଖ୍ୟା ୪୨,୦୯୫ (୧ ଜୁଲାଇ ୨୦୨୪ ସୁଦ୍ଧା) ରହିଛି । ଯେତେବେଳେ କି ଅନୁମୋଦିତ ସଂଖ୍ୟା ହେଉଛି ୫୦,୫୩୮ । ସେହିପରି ସେନାରେ ୯୨,୪୧୦ ସୈନିକଙ୍କ ଅଭାବ ରହିଛି ବୋଲି ମଧ୍ୟ କୁହାଯାଇଛି ।

ତେବେ କୋଭିଡ୍ ମହାମାରୀ ଯୋଗୁଁ ସୈନିକ ନିଯୁକ୍ତିରେ ଦୁଇ ବର୍ଷର ବ୍ୟବଧାନ ସୃଷ୍ଟି ହୋଇଥିଲା, ଯାହା ଫଳରେ ସୈନିକଙ୍କ ଅଭାବ ଦେଖାଦେଇଥିଲା । ଭାରତୀୟ ସେନାରେ ପ୍ରତିବର୍ଷ ପ୍ରାୟ ୬୦ ହଜାର ସୈନିକ ଅବସର ନିଅନ୍ତି । କୋଭିଡର ଦୁଇ ବର୍ଷ ମଧ୍ୟରେ ପ୍ରାୟ ୧ ଲକ୍ଷ ୨୦ ହଜାର ସୈନିକ ଅବସର ନେଇଥିଲେ । ଯାହା ସୈନିକଙ୍କ ଅଭାବକୁ ଆହୁରି ବୃଦ୍ଧି କରିଥିଲା ।