କୋଲକାତା: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି, ଏକ ନୂତନ ଘଟଣାକ୍ରମରେ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ମୋଙ୍ଗୋଲକୋଟ ଆସନରୁ ଦଳୀୟ ବିଧାୟକ ତଥା ମନ୍ତ୍ରୀ ଥିବା ସିଦ୍ଦିକୁଲ୍ଲା ଚୌଧୁରୀ ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ନନ୍ଦିଗ୍ରାମ ଜମି ଅଧିଗ୍ରହଣ ଆନ୍ଦୋଳନର ଅନ୍ୟତମ ପ୍ରମୁଖ ପୁରୋଧା ଥିବା ସିଦ୍ଦିକୁଲ୍ଲା ଚୌଧୁରୀଙ୍କ ଏଘୋଷଣା ମମତାଙ୍କ ପାଇଁ ନୂତନ ସମସ୍ୟା ସୃଷ୍ଟି କରିଛି।
ଦଳର ଉଦାସୀନ ଆଚରଣ, ଜିଲ୍ଲା ନେତୃତ୍ୱର ଅସଂଗଠିତ କାର୍ଯ୍ୟ ଏବଂ ସୌଜନ୍ୟତାର ଅଭାବ ଉପରେ ଅସନ୍ତୋଷ ପ୍ରକାଶ କରି ଚୌଧୁରୀ କହିଛନ୍ତି, ଜିଲ୍ଲାର ଦୁର୍ବଳ ନେତୃତ୍ୱ ବିଷୟରେ ମୁଁ ଆମ ଦଳର ମୁଖ୍ୟ ମମତା ବାନାର୍ଜୀଙ୍କୁ ଜଣାଇଛି। ମୁଁ ଅନୁଭବ କଲି ଯେ ଜିଲ୍ଲାର କିଛି ଦଳୀୟ ନେତା ନିର୍ବାଚନକୁ ଦୃଷ୍ଟିରେ ରଖି ଯେପରି କାର୍ଯ୍ୟ କରିବା କଥା ସେପରି କରୁନାହାନ୍ତି। ତେଣୁ ମୁଁ ଏଥର ମୋଙ୍ଗୋଲକୋଟରୁ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଛି। ମୋର ନିଷ୍ପତ୍ତି ବିଷୟରେ ମୁଁ ଦଳର ମୁଖ୍ୟଙ୍କୁ ଜଣାଇ ସାରିଛି ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୬ ବିଧାନସଭା ନିର୍ବାଚନରେ ସିଦ୍ଦିକୁଲ୍ଲା ଚୌଧୁରୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇ(ଏମ୍) ର ସାହାଜାହାନ୍ ଚୌଧୁରୀଙ୍କୁ ପ୍ରାୟ ୧୨,୦୦୦ ଭୋଟ୍ ବ୍ୟବଧାନରେ ପରାସ୍ତ କରି ମୋଙ୍ଗୋଲକୋଟ୍ ଆସନ ଜିତିଥିଲେ। ଏହା ପରେ ମମତା ତାଙ୍କୁ କ୍ୟାବିନେଟରେ ମନ୍ତ୍ରୀ କରିଥିଲେ ଏବଂ ତାଙ୍କୁ ଶିକ୍ଷା, ଲାଇବ୍ରେରୀ ଏବଂ ସଂସଦୀୟ ବ୍ୟାପାର ବିଭାଗର ସ୍ୱାଧୀନ ଦାୟିତ୍ୱ ପ୍ରଦାନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/mamata-2.jpg)