ନୂଆଦିଲ୍ଲୀ: ଭାରତ ଆଗକୁ ବଢ଼ିବାକୁ ହେଲେ, ଆମର ପାରମ୍ପରିକ ସତର୍କତାଗୁଡ଼ିକୁ ଆଲୋକପାତ କରିବାକୁ ହେବ। ଏଥି ସହିତ ଆମର ସ୍ବାର୍ଥ ଏବଂ ଆଗ୍ରହଗୁଡ଼ିକୁ ଅତି ପ୍ରାଞ୍ଜଳ ଭାବରେ ପ୍ରତିପାଦନ କରିବା ଲାଗି ଆମକୁ ଅଧିକ ଦୃଢ଼ ଓ ଆଗଭର ହେବାକୁ ପଡ଼ିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି। ସମ୍ପ୍ରତି ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଚୀନୀ ସେନାର ଅତିକ୍ରଣମ ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଗୋଷ୍ଠୀ ନିରପେକ୍ଷତାର ପାରମ୍ପରିକ ଧାରଣାରୁ ଭାରତ ଦୂରେଇ ଆସିଛି। ଆନ୍ତର୍ଜାତୀୟ ପରିସ୍ଥିତିରୁ ଯଦି ଆମକୁ ନିଜର ଉଦ୍ଦେଶ୍ୟ ସାଧନ କରିବାକୁ ହେବ, ତେବେ ଉପଲବ୍ଧ ସୁଯୋଗକୁ ଆମକୁ ଖୋଜି ବାହାର କରିବାକୁ ହେବ। ସତର୍କତା ଓ ବହୁପକ୍ଷୀୟ ନିର୍ଭରଶୀଳତାର ଯୁଗ ଆମ ପଛରେ ରହିଛି। ଆମକୁ ସମ୍ଭାବ୍ୟ ବିପଦକୁ ଗ୍ରହଣ କରି ଆଗେଇବାକୁ ହେବ। ବିନା ବିପଦରେ କେହି ଆଗେଇପାରିନାହିଁ।

Advertisment

ଆମର ସ୍ବାର୍ଥ ହାସଲ ପାଇଁ ଆବଶ୍ୟକ ପନ୍ଥା ଆମକୁ ଆଦରିବାକୁ ପଡ଼ିବ। ସେହିପରି ଗୋଷ୍ଠୀ ନିରପେକ୍ଷ ଅର୍ଥ କ'ଣ ଆମେରିକାଠାରୁ ଦୂରେଇ ରହିବା କି ପ୍ରଶ୍ନର ଉତ୍ତରରେ ଜୟଶଙ୍କର କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ଯୁଗ ଓ ଭୂରାଜନୈତିକ ଅଞ୍ଚଳ ପାଇଁ ଗୋଷ୍ଠୀ ନିରପେକ୍ଷତାର ମାନେ କିଛି ରହିଥିଲା। ତାହାର ଦୁଇଟି ପାର୍ଶ୍ବ ରହିଛି। ଗୋଟିଏ ହେଲା ସ୍ବାଧୀନତା ଯାହାର କମ୍ପନ ଆମେ ଆମ ଇତିହାସ ଓ ସ୍ବାଧୀନତା ସଂଗ୍ରାମରୁ ପାଇସାରିଛନ୍ତି। ଅନ୍ୟଟି ହେଲା ଅନ୍ୟର ସମସ୍ୟାରେ ଜଡ଼ିତ ନରହି ନିଜକୁ ବିପଦରୁ ଦୂରେଇ ରଖିବା ଯାହାକି ବିଗତ ଷାଠିଏ କି ସତୁରି ଦଶକରେ ବିଧିସମ୍ମତ ଥିଲା। ଏବେ ବିଶ୍ବରେ ଅନେକ କିଛି ଗଢ଼ିବାରେ ଭାରତର ଅବଦାନ ଯଥେଷ୍ଟ ରହିଛି। ସଂଯୋଗୀକରଣ, ସାମୁଦ୍ରିକ ନିରାପତ୍ତା, ଆତଙ୍କବାଦ ଏବଂ ଜଳବାୟୁ ପରିବର୍ତ୍ତନ ପରି ବ୍ୟାପକ ପ୍ରସଙ୍ଗରେ ଏବେ ଅନ୍ୟମାନେ କୌଣସି ସମାଧାନ ପାଇଁ ଆମକୁ ଲୋଡୁଛନ୍ତି। ଆମେ ଆଉ ନିରବ ଦ୍ରଷ୍ଟା ହୋଇ ରହିନାହାନ୍ତି। ସୁତରାଂ ଆମକୁ ଏଇ ସୁଯୋଗର ସଦୁପଯୋଗ କରି ନିଜର ସ୍ବାର୍ଥସାଧନ ପାଇଁ ଆମ ଅନୁସାରେ ଆଗକୁ ବଢ଼ିବାକୁ ହେବ ବୋଲି ଜୟଶଙ୍କର କହିଛନ୍ତି।