ଆଫ୍ରିକାରେ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ଟପିଲା, ଦକ୍ଷିଣ ଆମେରିକା ଭାଇରସ୍ର ନୂଆ କେନ୍ଦ୍ରସ୍ଥଳ
ବ୍ରାଜିଲ୍ରେ ଅଧିକ ଯୁବକଙ୍କ କରୋନାରେ ମୃତ୍ୟୁ
ପ୍ରିଟୋରିଆ: କରୋନାଭୂତାଣୁ ମହାମାରୀ ଏବେ ଆଫ୍ରିକାରେ ଦ୍ରୁତ ଗତିରେ କାୟା ବିସ୍ତାର କରି ସଂକ୍ରମିତ ସଂଖ୍ୟାକୁ ଲକ୍ଷେ ଟପାଇଛି। ୧୪ ସପ୍ତାହ ପୂର୍ବେ ଆଫ୍ରିକାରେ ପ୍ରଥମ ମାମଲା ଚିହ୍ନଟ ହୋଇଥିଲା। ଏବେ ଏହା ୧ଲକ୍ଷ ଉପରେ। ଡବ୍ଲ୍ୟୁଏଚ୍ଓ ଆହୁରି କହିଛି ଯେ ଆଫ୍ରିକାରେ ୩,୧୦୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଅଧା ଆଫ୍ରିକୀୟ ଦେଶରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ଆଶଙ୍କା କରାଯାଉଛି। ଗତ ସପ୍ତାହକ ମଧ୍ୟରେ ୯ ଆଫ୍ରିକୀୟ ରାଷ୍ଟ୍ରରେ କରୋନା ସଂକ୍ରମଣ ମାମଲାରେ ୫୦ ପ୍ରତିଶତ ବଢିଛି। ଅନ୍ୟପକ୍ଷେ ଦକ୍ଷିଣ ଆମେରିକାରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଦକ୍ଷିଣ ଆମେରିକା ଏବେ କରୋନା ଭୂତାଣୁର ନୂଆ କେନ୍ଦ୍ରସ୍ଥଳ ପାଲଟିଛି। ତେବେ ବ୍ରାଜିଲ୍ ସବୁଠୁ ଅଧିକ ପ୍ରଭାବିତ। ଆଫ୍ରିକା ମହାଦେଶର କିଛି ରାଷ୍ଟ୍ରରେ ଉତ୍ତମ ସ୍ବାସ୍ଥ୍ୟସେବା ସୁବିଧା ନଥିବାରୁ ସଂକ୍ରମଣ ବଢ଼ିଲେ ଏହା ହାହାକାର ଖେଳାଇବ।
ବ୍ରାଜିଲ୍ରେ ମୋଟ୍ ମୃତ୍ୟୁସଂଖ୍ୟା ୨୧ ହଜାର ଟପିଛି। ବ୍ରାଜିଲ୍ ସ୍ବାସ୍ଥ୍ୟମନ୍ତ୍ରୀ ଗତକାଲି କହିଥିଲେ ଯେ, ଦେଶରେ ଏବେ ସ୍ପଷ୍ଟ ସଂକ୍ରମଣ ମାମଲା ୩ ଲକ୍ଷ ୩୦ ହଜାର ୮୯୦ରେ ପହଞ୍ଚିଛି ଏବଂ ଏହା ରୁଷ୍ଠାରୁ ଅଧିକ। ତେବେ ଅନ୍ୟ ଦେଶ ତୁଳନାରେ ବ୍ରାଜିଲ୍ରେ ଅଧିକାଂଶ ଯୁବକଙ୍କ କରୋନାରେ ମୃତ୍ୟୁ ହେଉଛି। ବ୍ରାଜିଲ୍ରେ ପ୍ରାୟ ୬୯ ପ୍ରତିଶତ ବୟସ୍କଙ୍କ କରୋନାରେ ମୃତ୍ୟୁ ହେଉଛି। ଅନ୍ୟପକ୍ଷେ ସ୍ପେନ୍ ଓ ଇଟାଲିରେ ଏହା ୯୫ ପ୍ରତିଶତ ରହୁଛି। ବ୍ରାଜିଲ୍ରେ ଯୁବକଙ୍କ ସଂଖ୍ୟା ଅଧିକ ଥିବାରୁ ଅଧିକାଂଶ ଯୁବକଙ୍କ କରୋନାରେ ମୃତ୍ୟୁ ହେଉଛି। ଏପ୍ରିଲ୍ ମାସରେ ବ୍ରାଜିଲ୍ରେ ୬୦ ବର୍ଷରୁ କମ୍ ବୟସର ଲୋକଙ୍କ କ୍ଷେତ୍ରରେ ୧୯ ପ୍ରତିଶତ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷେ ଚଳିତ ସପ୍ତାହରେ ଏହା ୩୧ ପ୍ରତିଶତ ବୃଦ୍ଧି ପାଇଛି। ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି ଏବଂ ୧୨୯୯ ଜଣଙ୍କ ମୃତ୍ୟୁ ହୋଇଛି। ବିଶ୍ବରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୫୩ ଲକ୍ଷ ଟପିଛି ଏବଂ ୩ ଲକ୍ଷ ୪୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।