ମୃତ୍ୟୁର ୨୦ ଦିନ ପରେ ଭାରତରେ ପହଞ୍ଚିବ ୟୁକ୍ରେନରେ ମୃତ ଭାରତୀୟ ଛାତ୍ରଙ୍କ ଶରୀର

ବେଙ୍ଗାଲୁରୁ :  ୟୁକ୍ରେନରେ ମୃତ୍ୟୁବରଣ କରିଥିବା ଭାରତୀୟ ଛାତ୍ର ନବୀନ ଶେଖରାପ୍ପାଙ୍କ ମୃତଦେହ ଆସନ୍ତା ରବିବାର ଅର୍ଥାତ ମାର୍ଚ୍ଚ ୨୦ ତାରିଖରେ ଭାରତରେ ପହଞ୍ଚିବ । ଏ ନେଇ ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ସୂଚନା ଦେଇଛନ୍ତି । ଏକ ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରବିବାର ସକାଳ ୩ଟାରେ ନବୀନଙ୍କ ମୃତଦେହ ବେଙ୍ଗାଲୁରୁରେ ପହଞ୍ଚିବ ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୧ ତାରିଖରେ ୟୁକ୍ରେନର ଖାରକିବରେ ରହୁଥିବା ନବୀନ ଶେଖରାପ୍ପା ରୁଷ ବୋମାମାଡ଼ରେ ମୃତ୍ୟୁବରଣ କରିଥିଲେ । ଆକ୍ରମଣରୁ ରକ୍ଷା ପାଇବାକୁ ବଙ୍କର ଭିତରେ ରହୁଥିବା ନବୀନ ଖାଦ୍ୟ ପାଇଁ ଏକ ଦୋକାନକୁ ଯାଇଥିବାବେଳେ ବୋମାମାଡ ହୋଇଥିଲା । ଏଥିରେ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ଦୋକାନଟି ନବୀନ ରହୁଥିବା ବଙ୍କରଠାରୁ ମାତ୍ର ୫୦ ମିଟର ଦୂରରେ ଥିଲା ।

ନବୀନଙ୍କ ମୃତ୍ୟୁରେ ସାରା ଦେଶରେ ଦୁଃଖର ଛାୟା ଖେଳିଯାଇଥିଲା । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳନେତା ସମସ୍ତେ ଦୁଃଖପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ନିଜେ ମୃତ ଛାତ୍ରର ପିତାଙ୍କ ସହ କଥା ହୋଇ ସାନ୍ତ୍ବନା ଦେଇଥିଲେ ।

 

 

ସମ୍ବନ୍ଧିତ ଖବର