ନୂଆଦିଲ୍ଲୀ: ଭାରତରେ କିଡନୀ ରୋଗୀଙ୍କ ମଧ୍ୟରୁ ଡାଏଲିସିସ୍ କରୁଥିବା ପ୍ରାୟ ୨୮ ପ୍ରତିଶତ ୧୦ ମାସ ମଧ୍ୟରେ ମୃତ୍ୟୁବରଣ କରନ୍ତି। ଲାନସେଟ୍ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏବଂ ଜର୍ଜ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଗ୍ଲୋବାଲ ହେଲ୍ଥର ନେତୃତ୍ୱରେ ପରିଚାଳିତ ଏକ ଗବେଷଣାପତ୍ରରେ ହିମୋଡାୟାଲିସିସ୍ ନେଉଥିବା ରୋଗୀଙ୍କ ବଞ୍ଚିବା ହାର ଉପରେ ଅନୁସନ୍ଧାନରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ଅଧ୍ୟୟନ ଅନୁଯାୟୀ ଭାରତରେ ପ୍ରତି ୧୦ ଜଣ ରୋଗୀଙ୍କ ମଧ୍ୟରୁ ପ୍ରାୟ ୭ ଜଣ ୬ ମାସରୁ ଅଧିକ ଡାୟାଲିସିସ୍ରେ ବଞ୍ଚିଥାନ୍ତି। ହେମୋଡାୟାଲିସିସ୍ ନେଉଥିବା ୨୮ ପ୍ରତିଶତ ରୋଗୀ ଚିକିତ୍ସା ପାଇବାର ୧୦ ମାସ ମଧ୍ୟରେ ମୃତ୍ୟୁବରଣ କରିଥିବା ନେଇ ରିପୋର୍ଟରେ ସୂଚନା ଦିଆଯାଇଛି। ଏହି ଅଧ୍ୟୟନରୁ ଜଣାପଡିଛି ଯେ ଭାରତରେ ମୃତ୍ୟୁହାର ଏକ୍ଷେତ୍ରରେ ବିଶ୍ୱ ହାରଠାରୁ ଦୁଇଗୁଣ। ଗବେଷକମାନେ ଭାରତର ୨୦ଟି ରାଜ୍ୟରେ ଥିବା ୧୯୩ଟି ଡାଏଲିସିସ୍ ସେଣ୍ଟରର ୨୩,୬୦୧ ଜଣ ରୋଗୀଙ୍କ ଉପରେ ଅନୁଧ୍ୟାନ କରିଥିଲେ।
ମୁମ୍ବାଇର ଭାଟିଆ ହସ୍ପିଟାଲର ନେଫ୍ରୋଲୋଜି ବିଭାଗ ସହ ଜଡ଼ିତ ଡାକ୍ତର ରମେଶ ଶାହ କୁହନ୍ତି, ଆମକୁ ଭଲ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଭିତ୍ତିଭୂମି ଭଲ ହେଲେ ବଞ୍ଚିବା ହାର ଅଧିକ ରହିବ। ଡାୟାଲିସିସ୍ ହେଉଛି ଏକ ଡାକ୍ତରୀ ଚିକିତ୍ସା ଯାହା କିଡନୀ ଫେଲ୍ ବ୍ୟକ୍ତିମାନଙ୍କ ଦେହରୁ ରକ୍ତକୁ କାଢ଼ି ବାହାରେ ଫିଲ୍ଟର କରି ପୁଣି ଶରୀରରେ ଭର୍ତ୍ତି କରିଥାଏ। ବିଶ୍ୱରେ କ୍ରୋନିକ୍ ଡାଏଲିସିସ୍ ନେଉଥିବା ରୋଗୀଙ୍କ ସଂଖ୍ୟା ଭାରତରେ ସର୍ବାଧିକ। ଲାନ୍ସେଟ୍ ରିପୋର୍ଟ ଅନୁଯାୟୀ ୨୦୧୮ରେ ପାଖାପାଖି ୧,୭୫,୦୦୦ ବ୍ୟକ୍ତି ଭାରତରେ ଚିକିତ୍ସିତ ହୋଇଥିଲେ ଯାହାକି ବିଶ୍ବରେ ସର୍ବାଧିକ। ଡାଏଲିସିସ୍ ପରେ କୌଣସି ଜଟିଳତା ଦେଖାଦେଲେ ଉତ୍ତମ ଚିକିତ୍ସା ଉପଲବ୍ଧ ଅଭାବରୁ ଅନେକ ରୋଗୀଙ୍କ ମୃତ୍ୟୁ ଘଟିଛି। ଯେଉଁମାନେ ସ୍ୱାସ୍ଥ୍ୟ ବୀମା ଓ ସରକାରୀ ସବ୍ସିଡି ପାଇବା ପରିବର୍ତ୍ତେ ନିଜେ ଖର୍ଚ୍ଚ ବହନ କରୁଛନ୍ତି ସେମାନଙ୍କ ମୃତ୍ୟୁହାର ଅଧିକ ରହିଛି। ମଧୁମେହ ଏବଂ ଉଚ୍ଚ ରକ୍ତଚାପ ମଧ୍ୟ ଡାୟାଲିସିସ୍-ଜନିତ ମୃତ୍ୟୁରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।