ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପାୱର୍ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ଆଜି ଜଣାପଡ଼ିଛି।
ତାଙ୍କ ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟ୍ରେ ଉପରୋକ୍ତ ଖବର ସେୟାର୍ କରି ହିନ୍ଦୀ ଭାଷାରେ ଡାକ୍ତର ପାୱାର୍ ଲେଖିଛନ୍ତି, ଆଜି ମୋ କୋଭିଡ୍-୧୯ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିବାରୁ ନିଜ ବାସଭବନରେ ‘କ୍ବାରେଣ୍ଟିନ୍’ରେ ରହିଛି।
ଆପଣମାନଙ୍କୁ ଅନୁରୋଧ, ଗତ କିଛି ଦିନ ହେବ ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ କୋଭିଡ୍ ପରୀକ୍ଷା କରାଇ ନିଅନ୍ତୁ ଏବଂ କରୋନାଭାଇରସ୍ କବଳରୁ ନିରାପଦ ରହିବା ନିୟମ ମାନନ୍ତୁ।
/sambad/media/post_attachments/wp-content/uploads/2022/01/pawar1.jpg)
ତେଣେ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରକର୍ଡ ସଂଖ୍ୟକ ୯୦,୯୨୮ ନୂଆ କୋଭିଡ୍-୧୯ ସଂକ୍ରମଣ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ହାର ୫୬.୫% ଅଧିକ। ଏହାକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୩,୫୧,୦୯,୨୮୬ରେ ପହଞ୍ଚିଛି। ସେହିପରି, ୨୪ ଘଣ୍ଟାରେ ପ୍ରାଣ ହରାଇଥିବା ୩୨୫ଜଣ ଆକ୍ରାନ୍ତଙ୍କ ସମେତ ଦେଶରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୨,୮୬୭ରେ ପହଞ୍ଚିଛି।
ଏହା ବ୍ୟତିରେକେ, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୫,୪୦୧ ଥିବାବେଳେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୪୩,୪୧,୦୦୯।