ନୂଆଦିଲ୍ଲୀ: ଏବେ ହମାସ ସହ ଚାଲିଥିବା ଯୁଦ୍ଧ ପରେ ବି ଚୁପ ହୋଇ ବସିବ ନାହିଁ ଇସ୍ରାଏଲ । ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ହମାସର ନେତାମାନଙ୍କୁ ଖୋଜି ଖୋଜି ନିପାତ କରିବ । ଏଥିପାଇଁ ଇସ୍ରାଏଲର ପ୍ରସିଦ୍ଧ ଗୁଇନ୍ଦା ସଂସ୍ଥା ମୋସାଦକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ସେ ତାଙ୍କ ପୂର୍ବବର୍ତ୍ତୀ ଗୋଲ୍ଡା ମେୟରଙ୍କ ପଦାଙ୍କ ଅନୁସରଣ କରି 'ଅପରେସନ ରାଥ୍ ଅଫ୍ ଗଡ୍'  ( ଅପରେସନ ଇଶ୍ବରଙ୍କ କ୍ରୋଧ) ଭଳି ମିଶନକୁ ଅନୁମତି ଦେବାକୁ ଚାହୁଁଛନ୍ତି। ଏହି ମିଶନ ଅଧୀନରେ ସେ ଇସ୍ରାଏଲର ଶତ୍ରୁମାନଙ୍କୁ ନିପାତ କରିବାକୁ ଯୋଜନା କରୁଛନ୍ତି। ତେବେ ଗାଜାରେ ଚାଲିଥିବା ଅଭିଯାନ ଶେଷ ହେବା ପରେ ହିଁ ସେ ଏହାକୁ ଆରମ୍ଭ କରାଯିବ ।

Advertisment

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ ଅନୁଯାୟୀ, ନେତନ୍ୟାହୁ ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦକୁ ଏହି କାର୍ଯ୍ୟ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତୁର୍କୀ, ଲେବନାନ ଓ କତାରରେ ରହୁଥିବା ଟାର୍ଗେଟ(ହମାସ ନେତା)କୁ ନିଷ୍କ୍ରିୟ କରିବା ପାଇଁ ମୋସାଦ ଯୋଜନା କରୁଥିବା ଜଣାପଡିଛି ।

ଏହି ସମ୍ବାଦପତ୍ର ଦାବି କରିଛି ଯେ ମୋସାଦର ପୂର୍ବତନ ନିର୍ଦ୍ଦେଶକ ଏଫ୍ରାମ ହାଲେଭି ଏହି ଅପରେସନ କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଏବଂ ଚେତାବନୀ ଦେଇଛନ୍ତି ଯେ ଏଭଳି କାର୍ଯ୍ୟର ଅନିଚ୍ଛାକୃତ ପରିଣାମ ହୋଇପାରେ । ଏବଂ ଏହା ଅଞ୍ଚଳରେ ଆହୁରି ଅସ୍ଥିରତା ସୃଷ୍ଟି କରିପାରେ । ହାଲେଭି କହିଛନ୍ତି ଯେ ସାରା ବିଶ୍ୱରେ ଥିବା ହାମାସ ବେସ୍ ଗୁଡ଼ିକୁ ଧ୍ବଂସ କରିବା ପରେ ବି  ଇସ୍ରାଏଲ ପ୍ରତି ବିପଦ ଶେଷ ହେବ ନାହିଁ।