ଭାରତ ଆସୁଛନ୍ତି ଫୋନ ବୋମା ଓ ବିଷ ଛୁଞ୍ଚିକୁ ହତିଆର କରୁଥିବା ଗୁଇନ୍ଦା ଏଜେନ୍ସି

ନୂଆଦିଲ୍ଲୀ: ଇସ୍ରାଏଲ ଦୂତାବାସ ବାହାରେ ଗତକାଲି ହୋଇଥିବା ବୋମା ବିସ୍ଫୋରଣ ଘଟଣାରେ ଏହାକୁ ଗୁରୁତ୍ୱର ସହ ନେଇଛି ଇସ୍ରାଏଲ | କୁହାଯାଉଛି ଯେ ଏହି ଘଟଣାର ତଦନ୍ତ କରିବାକୁ ଭାରତ ଆସିବାକୁ ପ୍ରସ୍ତୁତ ହେଉଛି ବିଶ୍ୱର ସବୁଠାରୁ ଦୁର୍ଦ୍ଧଷ ଗୁଇନ୍ଦା ଏଜେନ୍ସି ମୋସାଦ | ମୋସାଦ ବାବଦରେ କହିବାକୁ ଗଲେ ଯେଉଁ ଦେଶରେ କୌଣସି ଇସ୍ରାଏଲ ନାଗରିକଙ୍କ ଉପରେ ଆକ୍ରମଣ ହୋଇଥାଏ ଏହି ଏଜେନ୍ସି ଗୁପ୍ତ ଭାବରେ ସେଠାରେ ପହଂଚି ତଦନ୍ତ କରିଥାଏ | ଇସ୍ରାଏଲ ନାଗରିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଥିବା ଏହି ଏଜେନ୍ସିର ଚର୍ଚ୍ଚିତ ଇତିହାସ ଓ କାରନାମା ଉପରେ ସମସ୍ତଙ୍କର ନଜର ଥାଏ |

କାରଣ ଏହି ଏଜେନ୍ସି ବିଶ୍ୱର ସବୁଠାରୁ ଘାତକ ଗୁଇନ୍ଦା ଏଜେନ୍ସି ଭାବେ ବେଶ ପରିଚିତ | ୧୯୭୨ ମସିହାରେ ମ୍ୟୁନିକ ଅଲମ୍ପିକରେ ଯେତେବେଳେ ଇସ୍ରାଏଲର ୧୧ ଜଣ ଖେଳାଳିଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ, ସେତେବେଳେ ମୋସାଦ ଦୀର୍ଘ ୨୦ ବର୍ଷ ଧରି ଗୁପ୍ତ ଅପରେସନ କରି ହତ୍ୟାକାରୀମାନଙ୍କୁ ଖୋଜି ଖୋଜି ମାରିଥିଲା | ଯେଉଁ ଅପରେସନର ନାମ ‘ରେଥ ଅଫ ଗଡ଼’ ରଖାଯାଇଥିଲା | ଏହି ଅପରେସନରେ ମୋସାଦର ଏଜେଣ୍ଟମାନେ ସାରା ବିଶ୍ୱର କୋଣ ଅନୁକୋଣରେ ବୁଲି ବୁଲି ହତ୍ୟାକାରୀମାନଙ୍କୁ ଖୋଜିଥିଲେ ଓ ମାରିଦେଇଥିଲେ | ମୋସାଦର ପ୍ରକୃତ ନାମ ହେଉଛି ଇନଷ୍ଟିଚ୍ୟୁଟ ଫର ଇଣ୍ଟେଲିଜେନ୍ସ ଆଣ୍ଡ ସ୍ପେଶାଲ ଅପରେସନ | ଏହା ଇସ୍ରାଏଲର ନ୍ୟାସନାଲ ଇଣ୍ଟେଲିଜେନ୍ସ ଏଜେନ୍ସି ହୋଇଥିବାବେଳେ ୧୯୪୯ ମସିହାରେ ଏହାର ପ୍ରତିଷ୍ଠା କରାଯାଇଥିଲା |

‘ରେଥ ଅଫ ଗଡ଼’ ଅପରେସନ ସମୟରେ ମୋସାଦର ଏଜେଣ୍ଟମାନେ ଫୋନ ବୋମା, ବିଷ ଛୁଞ୍ଚି, କାର ବୋମା ବ୍ୟବହାର କରି ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ | ୨୦ ବର୍ଷ ଧରି ଚାଲିଥିବା ଏହି ଅପରେସନରେ ୯ ଜଣ ଫିଲିସ୍ତାନ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା | ୨୦୧୨ ମସିହାରେ ମଧ୍ୟ ନୂଆଦିଲ୍ଲୀର ଇସ୍ରାଇଲ ଦୂତାବାସ ବାହାରେ ଯେତେବେଳେ କାର ଯୋଗେ ଆକ୍ରମଣ କରାଯାଇଥିଲା, ସେତେବେଳେ ମୋସାଦ ମଧ୍ୟ ନିଜର ଯାଞ୍ଚ କରିଥିଲା | ଆଉ ଏହି ଆକ୍ରମଣ ପଛରେ ଇରାନର ରିଭୋଲ୍ୟୁସନରି ଗାର୍ଡସ କର୍ପସ ର ହାତ ଥିବା ମୋସାଦ ଜାଣିବାକୁ ପାଇଥିଲା |

ସମ୍ବନ୍ଧିତ ଖବର