ପ୍ରବାସୀ ଶ୍ରମିକଙ୍କ ପାଇଁ ବରଦାନ ପାଲଟିବ ‘ମୋ ସହାୟ’ : କାମକୁ ଫେରିବାରେ ସାହାଯ୍ୟ କରିବ, ସ୍ବାସ୍ଥ୍ୟ ବିଷୟରେ ବି ସୂଚନା ଦେବ

ଭୁବନେଶ୍ବର: କୋଭିଡ୍‌-୧୯ ମହାମାରୀର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମଗ୍ର ଦେଶରେ ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ୍ୱକାଳ ଧରି ଜାରି ରହିଥିବା ଲକ୍‌ଡାଉନ୍‌ ଦେଶର ପ୍ରବାସୀ ଶ୍ରମିକମାନଙ୍କର ଜୀବନ ଓ ଜୀବିକାକୁ ଗଭୀର ଭାବରେ ପ୍ରଭାବିତ କରିଛି। ଲକ୍‌ଡାଉନ୍‌ କାଳରେ ସବୁଠାରୁ ଅଧିକ ମାତ୍ରାରେ ଦୁର୍ଦ୍ଦଶାଗ୍ରସ୍ତ ଓ କ୍ଷତିଗ୍ରସ୍ତ ହୋଇଛନ୍ତି ଦେଶର ଗୋଟିଏ ରାଜ୍ୟରୁ ଅନ୍ୟ ଗୋଟିଏ ରାଜ୍ୟକୁ ଯାଇ ସେଠାରେ କାର୍ଯ୍ୟ କରୁଥିବା ଦେଶର ପ୍ରବାସୀ ଶ୍ରମିକ ଗୋଷ୍ଠୀ। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ଦେଶର ୪ କୋଟି ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ୭୫ ଲକ୍ଷ ବସ୍‌ ଏବଂ ଟ୍ରେନ୍‌ ଯୋଗେ ନିଜ ନିଜ ଘରକୁ ଫେରିଛନ୍ତି। ତେବେ, ଏ ପରିସଂଖ୍ୟନ ହୁଏତ ଠିକ୍‌ ଥାଇପାରେ; କିନ୍ତୁ ଲକ୍‌ଡାଉନ କାଳରେ ଯେଉଁ ହଜାର ହଜାର ପ୍ରବାସୀ ଶ୍ରମିକ ଖରାତରାରେ ନିଜ ଜୀବନକୁ ବାଜି ଲଗାଇ ଅର୍ଦ୍ଧାହାର, ଅନାହାରରେ ଶହ ଶହ ମାଇଲ୍‌ ପାଦରେ ଚାଲିଚାଲି ନିଜ ନିଜ ଘରକୁ ଫେରିଛନ୍ତି ତା’ର ହିସାବ ମିଳିବ କେଉଁଠୁ? ଦେବ କିଏ? … ଇଏ ତ ହେଉଛି କରୋନାକାଳୀନ ବାସ୍ତବ ଚିତ୍ରପଟ୍ଟ।

ତେବେ, ଯେତେବେଳେ କରୋନା ବିରୁଦ୍ଧରେ ଚାଲିଥିବା ଲଢ଼େଇର ଯବନିକା ପତନ ଘଟିବ; ଲକ୍‌ଡାଉନ୍‌ ପ୍ରତ୍ୟାହାର ହୋଇଯିବା ସହ ଜୀବନ ଓ ଜୀବିକା ମଧ୍ୟ ସ୍ୱାଭାବିକ ହେବାକୁ ଆରମ୍ଭ କରିବ ସେତେବେଳେ କ’ଣ ରହିବ କରୋନା ପରବର୍ତ୍ତୀ କାଳରେ ପ୍ରବାସୀ ଶ୍ରମିକଙ୍କ ସ୍ଥିତି। ଏଥିରେ ଅବଶ୍ୟ କେହି ଦ୍ୱିମତ ହେବେ ନାହିଁ ଯେ ଏହି ପ୍ରବାସୀ ଶ୍ରମିକମାନେ ହିଁ ହେଉଛନ୍ତି କୁଶଳୀ ଓ ଶିଳ୍ପ ତଥା ଆନୁସଙ୍ଗିକ କ୍ଷେତ୍ର ନିମନ୍ତେ ସର୍ବଶ୍ରେଷ୍ଠ ଓ ସର୍ବୋତ୍କୃଷ୍ଟ ମାନବ ସମ୍ବଳ। ଏଇମାନେ ହିଁ ଆମ ସହର ଏବଂ ଶିଳ୍ପର ମେରୁଦଣ୍ଡ। ତେବେ, କରୋନା ପରବର୍ତ୍ତୀ କାଳରେ କ’ଣ ହେବ ଏମାନଙ୍କର ଅବସ୍ଥା? ଏମାନେ କ’ଣ ଆଉ ଥରେ ନିଜ ରାଜ୍ୟ ଓ ଘର ଛାଡ଼ି ପ୍ରବାସୀ ଶ୍ରମିକ ସାଜିବାକୁ ଆଗ୍ରହ ପ୍ରକାଶ କରିବେ? ଆଉ ଯଦି ପୂର୍ବ ଅଭିଜ୍ଞତା ଭୟରେ ପ୍ରବାସୀ ଶ୍ରମିକ ସାଜିବାକୁ ଭୟକରି ନିଜ ରାଜ୍ୟରେ ବା ଘରେ ରହିବାକୁ ଚାହିଁଲେ ତେବେ, କ’ଣ ସେମାନଙ୍କୁ ସେମାନଙ୍କ ଦକ୍ଷତା ଭିତ୍ତିରେ କୌଣସି ନିଯୁକ୍ତି ବା କର୍ମସଂସ୍ଥାନର ମାଧ୍ୟମ ମିଳି ପାରିବ? ବର୍ତ୍ତମାନର ପରୀକ୍ଷଣ ସମୟରେ ସେମାନଙ୍କ ଦକ୍ଷତା କ’ଣ ଉପଯୁକ୍ତ ଭାବରେ ପୁରସ୍କୃତ ହୋଇପାରିବ? ଏସବୁ ପ୍ରଶ୍ନ ପ୍ରବାସୀ ଶ୍ରମିକଙ୍କୁ ଆନ୍ଦୋଳିତ କରି ରଖିଥିବା ବେଳେ ଲକଡାଉନ୍‌ ଉଠିଯିବା ପରେ କାରଖାନା ଖୋଲୁଥିବା ନିଯୁକ୍ତିଦାତା ଏବଂ ଅନ୍ୟାନ୍ୟ ସଂସ୍ଥା କୁଶଳୀ କର୍ମଚାରୀ ପାଇବେ କେଉଁଠୁ? ସେମାନେ କ’ଣ ଆଉଥରେ ପ୍ରବାସୀ ଶ୍ରମିକଙ୍କୁ ନିଜ ସଂସ୍ଥାରେ ନିଯୁକ୍ତି ଦେବାକୁ ସାହସ କୁଳାଇ ପାରିବେ? ଏହିପରି ଏବେ ଉଠୁଛି ଏକାଧିକ ଅସମାହିତ ପ୍ରଶ୍ନ !

Jansatta

ଏହାକୁ ଦୃଷ୍ଟିରେ ରଖି ଆଇଆଇଟି ଭୁବନେଶ୍ୱରର ଡକ୍ଟର ଦେବୀ ପ୍ରସାଦ ଡୋଗ୍ରା ଏବଂ ମାନବ ସମ୍ବଳ ପରିଚାଳନାରେ ବରିଷ୍ଠ ଶିଳ୍ପପତି ତଥା ବୈଷୟିକ ଜ୍ଞାନକୌଶଳ ଏବଂ ନିଯୁକ୍ତି କ୍ଷେତ୍ରରେ ବିଶେଷଜ୍ଞ ବିଜୟ ସାହୁଙ୍କ ପରାମର୍ଶରେ ବିଭିନ୍ନ ସଂଗଠନର ବୈଷୟିକ ଚିନ୍ତାଧାରା ସହଭାଗିତାରେ ଶ୍ରମିକ ବା ମାନବ ସମ୍ବଳ ଦକ୍ଷତାର ଡିଜିଟାଇଜେସନ୍‌ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିସହ ଏହି ସମସ୍ୟାର ସମାଧାନ ପାଇଁ ଟେକ୍‌ଷ୍ଟେନ୍‌ ଟେକ୍ନୋଲୋଜି ନାମକ ଏକ ସାମାଜିକ ଉଦ୍ୟୋଗର ଅଧୀନରେ ଶିକ୍ଷାବିତ୍‌ ଏବଂ ବିଭିନ୍ନ ଆଇଆଇଟିର ଛାତ୍ର ଏବଂ ଅଗ୍ରଣୀ ସଂଗଠନର ପ୍ରଫେସନାଲମାନେ ଏକତ୍ରିତ ହୋଇଛନ୍ତି। ଏହାର ସମାଧାନର ପନ୍ଥା ହେଉଛି ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ ଏବଂ ‘ମୋସହାୟ’ ନାମକ ମେସିନ୍‌ ଲର୍ଣ୍ଣିଂ-ଆଧାରିତ ଡିଜିଟାଲ୍‌ ପ୍ଲାଟଫର୍ମ- ଯାହା କି ପ୍ରବାସୀ ଶ୍ରମିକମାନଙ୍କୁ କାମକୁ ଫେରିବାରେ ସାହାଯ୍ୟ କରିବ।

ଟେକ୍‌ଷ୍ଟେନ୍‌ ଟେକ୍ନୋଲୋଜିର ସିଇଓ ଡକ୍ଟର ସୁରଜ କୁମାର ଗନ୍ତାୟତ ‘ମୋସହାୟ’ ସଂପର୍କରେ ସୂଚନା ଦେବାକୁ ଯାଇ କହିଛନ୍ତି, ‘ଆମର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରବାସୀ ଶ୍ରମିକମାନଙ୍କୁ କାମକୁ ଫେରିବାରେ ସାହାଯ୍ୟ କରିବା। ସାମ୍ପ୍ରତିକ ପରିସ୍ଥିତିରେ, ନିଯୁକ୍ତିଦାତାମାନେ ସେମାନଙ୍କୁ ନିୟୋଜିତ କରିବା ସମୟରେ ପ୍ରବାସୀ ଶ୍ରମିକମାନଙ୍କ ବିଷୟରେ ଦୁଇଟି ସେଟ୍‌ ନିର୍ଭରଯୋଗ୍ୟ ସୂଚନା ଆବଶ୍ୟକ କରନ୍ତି। ସେଗୁଡ଼ିକ ହେଲା ସେମାନଙ୍କର ଦକ୍ଷତା, ଏବଂ ସେମାନଙ୍କର ସ୍ୱାସ୍ଥ୍ୟର ସ୍ଥିତି। ଆମର ଡିଜିଟାଲାଇଜ୍‌ ପ୍ଲାଟଫର୍ମ ଦୁଇଟି ସରଳ ଫର୍ମ ମାଧ୍ୟମରେ ଏହି ଦୁଇଟି ସେଟ୍‌ ସୂଚନା ପ୍ରଦାନ କରେ। ଗୋଟିଏ ହେଲା ସ୍କିଲ୍‌ କାର୍ଡ ଏବଂ ସ୍ୱାସ୍ଥ୍ୟ କାର୍ଡ। ସ୍କିଲ୍‌ କାର୍ଡ ୨୪ଟି ଶିଳ୍ପରେ ୩୦୮ଟି କ୍ଷେତ୍ରରେ ସର୍ବାଧିକ ଆବଶ୍ୟକ ନିଯୁକ୍ତି ପ୍ରଦାନ କରିଥାଏ। ସ୍ୱାସ୍ଥ୍ୟ କାର୍ଡ କୋଭିଡ୍‌-୧୯ ରୋଗ ପ୍ରତିରୋଧକ ସ୍ଥିତି ସହ ବ୍ୟକ୍ତିର ମୌଳିକ ସ୍ୱାସ୍ଥ୍ୟ ସୂଚନା ଧାରଣ କରିଥାଏ। ଏହା ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ସଂପର୍କରେ ସୂଚନା ପ୍ରଦାନ କରିବା ସହ ଯେଉଁ ବ୍ୟକ୍ତିମାନେ କୋଭିଡ୍‌-୧୯ ସଂକ୍ରମଣରୁ ମୁକ୍ତି ପାଇଛନ୍ତି ଏବଂ ଯେଉଁମାନଙ୍କର ଏହି ଭୂତାଣୁ ବିରୁଦ୍ଧରେ ଲଢ଼ିବା ପାଇଁ ଭଲ ପ୍ରତିରୋଧକ ଶକ୍ତି ରହିଛି ସେ ସମସ୍ତ ସୂଚନା ପ୍ରଦାନ କରିବ। ଆମର ଲକ୍ଷ୍ୟ ପ୍ରତିରୋଧକ ଧାରାର ପ୍ରୟୋଗ କରିି ବିପଦକୁ କମାଇବା ସହ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିଯୁକ୍ତ କରିବାକୁ ସଶକ୍ତ କରିବା। ଏହା ମଧ୍ୟ ନିଯୁକ୍ତିଦାତାଙ୍କୁ ସଶକ୍ତ କରିବ।

The Hindu

ଏହି ଟିମ୍‌ ଆଇଆଇଟି ଭୁବନେଶ୍ୱରର ଜଣେ ଖ୍ୟାତନାମା କମ୍ପ୍ୟୁଟର ବିଜ୍ଞାନ ଶିକ୍ଷାବିତ୍‌ ଡକ୍ଟର ଦେବୀ ପ୍ରସାଦ ଡୋଗ୍ରାଙ୍କ ଦ୍ୱାରା ପରିଚାଳିତ ହେଉଛି। ଡକ୍ଟର ଡୋଗ୍ରା ସଂପ୍ରତି କୋଭିହ୍‌-୧୯ ମହାମାରୀର ମୁକାବିଲା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ବିଶେଷଜ୍ଞ କମିଟିର ସଦସ୍ୟ ରହିଛନ୍ତି। କରୋନା ପରବର୍ତ୍ତୀ କାଳରେ ପ୍ରବାସୀ ଶ୍ରମିକମାନଙ୍କୁ ଆଉଥରେ କର୍ମକ୍ଷେତ୍ରକୁ ଫେରାଇ ଆଣିବା ସମସ୍ୟାର ଏହା ଏକ ଅଭିନବ ବିଶ୍ୱ ସ୍ତରୀୟ ସମାଧାନର ପନ୍ଥା। କୋଭିଡ୍‌-୧୯ ମହାମାରୀ ଆମ ଜୀବନବ୍ୟାପୀ ଅର୍ଥନୀତି, ସମାଜ ଏବଂ ଜୀବିକାର ସ୍ଥିରତା ପ୍ରତି ବିପଦ ସୃଷ୍ଟି କରୁଥିବା ସବୁଠାରୁ ବଡ ଆହ୍ଵାନ। ଆଉ ପ୍ରବାସୀ ଶ୍ରମିକମାନେ ଏହି ଆହ୍ଵାନର ସମ୍ମୁଖୀନ ହୋଇଛନ୍ତି। ତେଣୁ ଆମେ ସେମାନଙ୍କ ସମସ୍ୟା ସମାଧାନର ପନ୍ଥା ଖୋଜିବାକୁ ଉଦ୍ୟମ କରିଛୁ ବୋଲି ଟେକ୍‌ଷ୍ଟନ୍‌ ଟେକ୍ନୋଲୋଜିର ସହ-ପ୍ରତିଷ୍ଠାତା ଡକ୍ଟର ବିପ୍ଲବ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର
AdBlock Detected

Looks like you are using an ad-blocking browser extension. We request you to whitelist our website on the ad-blocking extension and refresh your browser to view the content.