ରୁଷ-ୟୁକ୍ରେନ ଯୁୁଦ୍ଧ: ୟୁକ୍ରେନର ୨ଲକ୍ଷ ପିଲାଙ୍କୁ ରୁଷ ଅପହରଣ କରିଥିବା ଦାବି କ‌ଲେ ଜେଲେନସ୍କି

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ୩ମାସ ବିତିସାରିଥିଲେ ମଧ୍ୟ ଏବେ ବି ଯୁଦ୍ଧ ଜାରି ରହିଛି। ୟୁକ୍ରେନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନକରିବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ୍। ତେବେ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କହିଛନ୍ତି ଯେ, ୨ଲକ୍ଷରୁ ଅଧିକ ୟୁକ୍ରେନ ପିଲାଙ୍କୁ ରୁଷିଆ ସୈନ୍ୟବାହିନୀ ଅପହରଣ କରିନେଇଛନ୍ତି । ଅନାଥ ଆଶ୍ରମରେ ରହୁଥିବା ପିଲାଙ୍କ ସହ ପିତାମାତାଙ୍କ ସହିତ ରହୁଥିବା ପିଲାଙ୍କୁ ଅପହରଣ କରିଛି ରୁଷ ସେନା।

ରାଷ୍ଟ୍ରପତି ଜେଲେନସ୍କି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଏହି ଅପରାଧିକ ନୀତିର ଉଦ୍ଦେଶ୍ୟ କେବଳ ପିଲାଙ୍କୁ ଅପହରଣ କରିବା ନୁହେଁ, ବରଂ ସେମାନଙ୍କ ମନରୁ ୟୁକ୍ରେନର ସ୍ମୃତିକୁ କାଢ଼ିବା ଏବଂ ସେମାନଙ୍କୁ ଫେରିବାରେ ଅସମର୍ଥ କରିବା। ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁକ୍ରେନ ଦୋଷୀଙ୍କୁ ଦଣ୍ଡ ଦେବ କିନ୍ତୁ ପ୍ରଥମେ ରୁଷିଆକୁ ଯୁଦ୍ଧକ୍ଷେତ୍ରରେ ଦେଖାଇବ ଯେ ୟୁକ୍ରେନକୁ ପରାସ୍ତ କରାଯାଇପାରିବ ନାହିଁ। ଆମ ଲୋକମାନେ ଆତ୍ମସମର୍ପଣ କରିବେ ନାହିଁ ଏବଂ ଆମ ପିଲାମାନେ ଆକ୍ରମଣକାରୀଙ୍କ ସମ୍ପତ୍ତି ହେବେ ନାହିଁ।

ଜେଲେନସ୍କି ଆହୁରି କହିଛନ୍ତି ଯେ, ରୁଷିଆ କବଜା କରିଥିବା ଅଞ୍ଚଳରେ ୨୪୩ ଶିଶୁଙ୍କର ମୃତ୍ୟୁ ଘଟିଥିବା ସହ ୪୪୬ ଜଣ ଆହତ ହୋଇଛନ୍ତି ଏବଂ ୧୩୯ ଜଣ ନିଖୋଜ ଅଛନ୍ତି । ରୁଷିଆର ସୈନ୍ୟମାନେ କବଜା କରିଥିବା ଅଞ୍ଚଳଗୁଡିକର ସ୍ଥିତି ଆମକୁ ଜଣା ନଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର