ମସ୍କୋ ଆକ୍ରମଣ: ୧୪୩ ଜଣଙ୍କୁ ମାରିଦେଲେ, ଧରାପଡ଼ିଲେ ଆଇଏସ୍‌ ଆତଙ୍କବାଦୀ

ମସ୍କୋ: ମସ୍କୋ କନ୍‌ସର୍ଟ ହଲ୍‌ରେ ଶୁକ୍ରବାର ରାତିରେ ଆତଙ୍କବାଦୀଙ୍କ ଭୟାନକ ଆକ୍ରମଣ ପୂରା ବିଶ୍ବରେ ଆଲୋଡ଼ନ ସୃଷ୍ଟି କରିଛି। ମୃତ୍ୟୁସଂଖ୍ୟା ୧୪୩କୁ ବୃଦ୍ଧି ପାଇଛି ବୋଲି ରୁଷ୍‌ର ତଦନ୍ତକାରୀ କମିଟି ପ୍ରକାଶ କରିଛି। ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଜି ୧୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗିରଫ ହୋଇଥିବା ବ୍ୟକ୍ତି ମଧ୍ୟରେ ୪ ଜଣ ଆତଙ୍କବାଦୀ ରହିଥିବା କୁହାଯାଇଛି। ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ସଙ୍ଗଠନ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଏକ ବିବୃତିରେ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିବା ସହ ଅଧିକ ଆକ୍ରମଣ ଧମକ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଗତରାତିରେ ଆକ୍ରମଣକାରୀମାନେ ମସ୍କୋର ଏକ ବିଶାଳ କନ୍‌ସର୍ଟ ହଲ୍‌ରେ ପଶି ଗୁଳି ମାଡ଼ କରିବା ସହ ଘଟଣାସ୍ଥଳରେ ନିଆଁ ଲଗାଇ ଦେଇଥିଲେ। ଏହା ସହିତ ସେମାନେ ବୋମା ବିସ୍ଫୋରଣ ମଧ୍ୟ ଘଟାଇଥିଲେ। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ବିଜୟ ହାସଲ କରିବାର ମାତ୍ର କିଛିଦିନ ପରେ ଏହି ବର୍ବର ଆକ୍ରମଣ ଲୋକଙ୍କୁ ସ୍ତବ୍ଧ କରିଦେଇଛି।

ଏକଦା ଇରାକ ଓ ସିରିଆର ଅଧିକାଂଶ ଅଞ୍ଚଳକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ ଷ୍ଟେଟ୍ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ ମଧ୍ୟ ଏହା ପଛରେ ୟୁକ୍ରେନୀୟ ଆତଙ୍କବାଦୀଙ୍କ ହାତ ରହିଥିବା ରୁଷ୍‌ ଦାବି କରିଛି । ୟୁକ୍ରେନ ଆତଙ୍କବାଦୀଙ୍କ ସଂପୃକ୍ତି ପ୍ରସଙ୍ଗରେ ଆମେରିକାର ସଂପୂର୍ଣ୍ଣ ନିରବତାକୁ ରୁଷ୍‌ କଡ଼ା ସମାଲୋଚନା କରିଛି। ମସ୍କୋ ଉପକଣ୍ଠରେ ଥିବା କ୍ରାସ୍ନୋଗୋର୍ସ୍କ ସହରରେ ଇସ୍‌ଲାମିକ ଷ୍ଟେଟ୍ ଆତଙ୍କବାଦୀମାନେ ଖ୍ରୀଷ୍ଟିଆନ ସଂପ୍ରଦାୟର ଏକ ବିଶାଳ ସମାବେଶ ଉପରେ ଆକ୍ରମଣ କରି ଶତାଧିକ ଲୋକଙ୍କୁ ହତ୍ୟା କରିବା ପଛରେ ଅତ୍ୟନ୍ତ ଯୋଜନାବଦ୍ଧ ଷଡ଼୍‌ଯନ୍ତ୍ର ରହିଥିବା ଜଣାପଡ଼ିଛି। ରୁଷ୍‌ ସାଂସଦ ଆଲେକ୍‌ଜାଣ୍ଡର ଖିନ୍‌ଷ୍ଟେନ କହିଛନ୍ତି ଯେ ଫେରାର୍‌ ହୋଇଯାଇଥିବା କେତେକ ଆତଙ୍କବାଦୀଙ୍କୁ ବ୍ରାୟନସ୍କ ଅଞ୍ଚଳରେ ପୁଲିସ ଠାବ କରିଛି ଏବଂ ସବୁ ଅପରାଧୀଙ୍କୁ ଧରିବାକୁ ବ୍ୟାପକ ପ୍ରୟାସ ଚାଲିଛି। ପୁଲିସ ଗିରଫ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ୪ ଆତଙ୍କବାଦୀ ରହିଥିବା ସ୍ପଷ୍ଟ ହୋଇଯାଇଥିବାରୁ ଖୁବ୍‌ଶୀଘ୍ର ଅନ୍ୟମାନେ ମଧ୍ୟ ଧରାପଡ଼ିବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ୬୨୦୦ ସିଟ୍ ବିଶିଷ୍ଟ କନ୍‌ସର୍ଟ ହଲ୍ ଭିତରକୁ ଆତଙ୍କବାଦୀମାନେ ବହୁ ସଂଖ୍ୟାରେ ସ୍ବୟଂଚାଳିତ ବନ୍ଧୁକ, ବୋମା ଓ ଗୁଳିଗୋଳା ନେଇ କିଭଳି ପ୍ରବେଶ କଲେ ତାହା ବିସ୍ମୟ ସୃଷ୍ଟି କରିଛି । ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଆକ୍ରମଣକାରୀମାନେ ଯୋଜନାବଦ୍ଧ ଭାବରେ କନ୍‌ସର୍ଟରେ ଯୋଗ ଦେଇଥିବା ଲୋକଙ୍କୁ ଟାର୍ଗେଟ କରି ଗୁଳିବର୍ଷା କରୁଛନ୍ତି। ଆକ୍ରମଣରେ ୧୪୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସମ୍ବନ୍ଧିତ ଖବର