ବିଶ୍ୱର ସବୁଠାରୁ ଦାମୀ ସ୍କୁଲ, ପଢ଼ିବାକୁ ହେଲେ ଦେବାକୁ ପଡ଼ିବ କୋଟିଏ ଟଙ୍କା ! ବିଶେଷତ୍ୱ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଲୀ: ବିଭିନ୍ନ ସାମଗ୍ରୀର ଦରଦାମ ଦିନକୁ ଦିନ ଯେପରି ବୃଦ୍ଧି ପାଉଛି, ଠିକ୍‌ ସେହିପରି ଶିକ୍ଷା ମଧ୍ୟ ମହଙ୍ଗା ହେବାରେ ଲାଗିଛି । ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ଦାମୀ ବିଦ୍ୟାଳୟ ବିଷୟରେ କହିବୁ । ଏହାସହିତ ଆମେ କହିବୁ ଯେ, ଏଠାରେ ବର୍ଷକୁ କେତେ ଫି ଆଦାୟ କରାଯାଏ । ସ୍ୱିଜରଲ୍ୟାଣ୍ଡରେ ରହିଛି ବିଶ୍ୱର ସବୁଠାରୁ ଦାମୀ ବିଦ୍ୟାଳୟ । ଏହାକୁ ୟୁରୋପର ସବୁଠାରୁ ମହଙ୍ଗା ବିଦ୍ୟାଳୟ ମଧ୍ୟ କୁହାଯାଏ । ସ୍ୱିଜରଲ୍ୟାଣ୍ଡର ରୋଲ୍ଲେ ସହରରେ ଥିବା ଏହି ବିଦ୍ୟାଳୟର ନାମ ହେଉଛି ଇନଷ୍ଟିଚ୍ୟୁଟ୍ ଲେ ରୋଜି।

ବିଶ୍ୱର ସବୁଠାରୁ ଦାମୀ ବିଦ୍ୟାଳୟ ଇନଷ୍ଟିଚ୍ୟୁଟ୍ ଲେ ରୋଜି। ଏହି ବିଦ୍ୟାଳୟରେ ପଢ଼ିବା ପାଇଁ, ବାର୍ଷିକ ୧ କୋଟି ୧୨ ଲକ୍ଷରୁ ଅଧିକ ଟଙ୍କା ଦେବାକୁ ପଡ଼ିବ । ଏହି ବିଦ୍ୟାଳୟ ୧୮୮୦ ମସିହାରେ ପଲ୍ ଏମିଲ କର୍ନଲଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ଏହା ସ୍ୱିଜରଲ୍ୟାଣ୍ଡର ସର୍ବପୁରାତନ ବୋର୍ଡିଂ ସ୍କୁଲ୍ ଏବଂ ଦୁନିଆର ସବୁଠାରୁ ପ୍ରତିଷ୍ଠିତ ତଥା ମହଙ୍ଗା ମଧ୍ୟରୁ ଗୋଟିଏ।  ଏହି କାରଣରୁ ବିଦ୍ୟାଳୟଟି ‘ସ୍କୁଲ ଅଫ କିଙ୍ଗସ୍’ ଭାବରେ ମଧ୍ୟ ଜଣାଶୁଣା । ଦୁଇଟି କ୍ୟାମ୍ପସ ସହିତ ସ୍ୱିଜରଲ୍ୟାଣ୍ଡର ଏହା ଏକମାତ୍ର ବୋର୍ଡିଂ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ଟେନିସ୍ କୋର୍ଟ, ସୁଟିଂ ରେଞ୍ଜ୍, ହର୍ସରାଇଡିଂ ଗ୍ରାଉଣ୍ଡ୍ ଏବଂ ୪୦ ମିଲିୟନ ଡଲାରରେ ତିଆରି ଏକ କନସର୍ଟ ହଲ୍ ଅଛି । ଏହି ବିଦ୍ୟାଳୟରେ ୪୨୦ ପିଲାଙ୍କ ପାଇଁ ମୋଟ ୧୫୦ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଅର୍ଥାତ, ଦୁଇରୁ ତିନି ଜଣ ଛାତ୍ରଙ୍କୁ ଶିକ୍ଷାଦେବା ପାଇଁ ଜଣେ ଶିକ୍ଷକ ଅଛନ୍ତି ।

ରିପୋର୍ଟ ଅନୁଯାୟୀ, ସ୍ପେନ, ଇଜିପ୍ଟ, ବେଲଜିୟମ, ଇରାନ ଏବଂ ଗ୍ରୀସର ରାଜବଂଶର ଦାୟଦମାନେ ଏହି ବିଦ୍ୟାଳୟରେ ପାଠ ପଢ଼ିଛନ୍ତି । ୭ରୁ ୧୮ ବର୍ଷ ବୟସର ପିଲାମାନେ ଇନଷ୍ଟିଚ୍ୟୁଟ୍ ଲେ ରୋଜି ବିଦ୍ୟାଳୟରେ ନାମ ଲେଖାଇପାରିବେ। ଏଠାରେ ଏହି ପିଲାମାନଙ୍କୁ ସମସ୍ତ ପ୍ରକାରର ସୁବିଧା ଦିଆଯାଇଥାଏ ।

ସମ୍ବନ୍ଧିତ ଖବର