ସର୍ବାଧିକ ଅପପୁଷ୍ଟ ଶିଶୁ ଭାରତରେ

ନୂଆଦିଲ୍ଲୀ: ଭାରତରେ ସମ୍ପ୍ରତି ଅର୍ଥନୀତିରେ ଅଭିବୃଦ୍ଧି ପରିଲଖିତ ହୋଇଥିବା ବେଳେ ଦେଶର ଶିଶୁମାନଙ୍କୁ ସୁଷମ ଖାଦ୍ୟ ଯୋଗାଇବାରେ ଏହି ପ୍ରଗତି ବିଫଳ ହୋଇଥିବା ଜଣାଯାଇଛି। ଅପପୁଷ୍ଟିର ଶିକାର ହୋଇଥିବା ବିଶ୍ୱର ସର୍ବାଧିକ ଶିଶୁ ଭାରତରେ ହିଁ ରହିଛନ୍ତି ବୋଲି ଆସୋଚାମ୍‌-ଇଓ୍ଵାଇ ପକ୍ଷରୁ ହୋଇଥିବା ଏକ ସର୍ବେକ୍ଷଣର ସଦ୍ୟ ପ୍ରକାଶିତ ରିପୋର୍ଟ କହୁଛି। ଯଦିଓ ଦେଶରେ ନବଜାତ ଏବଂ ଶିଶୁ ମୃତ୍ୟୁ ହାର ଯଥେଷ୍ଟ କମିଯାଇଥିବା ଖବର ଏକ ରକମ ଆଶ୍ୱସ୍ତି ଆଣିଛି, ତେବେ ବିଶ୍ୱର ପ୍ରାୟ ଅଧାଅଧି ଅପପୁଷ୍ଟ ଶିଶୁ ହିଁ ଭାରତରେ ରହିଥିବା ଘଟଣା ଚିନ୍ତାର ବିଷୟ ପାଲଟିଛି।

ଏହି ସର୍ବେକ୍ଷଣ ଅନୁଯାୟୀ, ୨୦୧୫ ବେଳକୁ ପାଖାପାଖି ୪୦ ପ୍ରତିଶତ ଭାରତୀୟ ଶିଶୁ ଆବଶ୍ୟକ ସୁଷମ ଖାଦ୍ୟରୁ ବଞ୍ଚିତ ଥିଲେ। ପାଞ୍ଚ ବର୍ଷରୁ କମ୍‌ ବୟସର ୩୭ ପ୍ରତିଶତ ଶିଶୁ ଧାର୍ଯ୍ୟ ଠାରୁ କମ୍‌ ଓଜନ ବିଶିଷ୍ଟ, ୩୯ ପ୍ରତିଶତ ଶିଶୁ ଧାର୍ଯ୍ୟ ଠାରୁ କମ୍‌ ଉଚ୍ଚତା ବିଶିଷ୍ଟ ଏବଂ ୨୧ ପ୍ରତିଶତ ଶିଶୁ ଉଚ୍ଚତା ତୁଳନାରେ କମ୍‌ ଓଜନ ବିଶିଷ୍ଟ ଥିବା ଜଣାଯାଇଛି। ସେହିପରି ୮ ପ୍ରତିଶତ ଶିଶୁ ଭୀଷଣ ଭାବରେ ଅପପୁଷ୍ଟିର ଶିକାର ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ୬ରୁ ୨୩ ମାସ ଭିତର ବୟସର ଶିଶୁମାନଙ୍କ ମଧ୍ୟରୁ ମାତ୍ର ୧୦ ପ୍ରତିଶତ ହିଁ ଉପଯୁକ୍ତ ସୁଷମ ଖାଦ୍ୟ ପାଇପାରୁଛନ୍ତି। ବିଭିନ୍ନ ପ୍ରାନ୍ତରେ ଦେଖାଦେଉଥିବା ଅନାହାର ସମସ୍ୟାକୁ ପ୍ରତିହତ କରିବା ଲାଗି ଉଦ୍ୟମ ଜାରି ରହିଥିବା ବେଳେ ସାମାଜିକ ଅସନ୍ତୁଳନ ହିଁ ଏଭଳି ସଂକଟଜନକ ସ୍ଥିତି ଆଣିଛି। ୫ ବର୍ଷ ବୟସ ଭିତର ସର୍ବାଧିକ ୪୨ ପ୍ରତିଶତ କମ୍‌ ଓଜନ ବିଶିଷ୍ଟ ଶିଶୁ ଝାଡ଼ଖଣ୍ଡର ହୋଇଥିବା ବେଳେ ଓଡ଼ିଶା, ବିହାର, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ସେହି ବୟସର ଯଥାକ୍ରମେ ୩୮.୨%, ୩୭%, ୩୬% ଏବଂ ୩୪.୧% ଶିଶୁ କମ୍‌ ଓଜନ ବିଶିଷ୍ଟ। ସେହି ପରିମାଣ ମଣିପୁରରେ ସର୍ବନିମ୍ନ ୧୪.୧ ପ୍ରତିଶତ ରହିଛି। ମୋଟ ଉପରେ ଭାରତର ଗ୍ରାମାଞ୍ଚଳର ୩୮ ପ୍ରତିଶତ ଶିଶୁ ଅଳ୍ପ ଓଜନ ବିଶିଷ୍ଟ ହୋଇଥିବା ବେଳେ ସହରାଞ୍ଚଳରେ ସେହି ଶିଶୁଙ୍କ ପରିମାଣ ୨୯ ପ୍ରତିଶତ ରହିଛି।

ବିଶେଷ କରି ଗ୍ରାମାଞ୍ଚଳରେ ଶିଶୁଙ୍କ ପାଇଁ ସୁଷମ ଖାଦ୍ୟ ସମସ୍ୟା ବଢ଼ିଚାଲିଥିବା ବେଳେ ସହରାଞ୍ଚଳର ଶିଶୁ ସୁଷମ ଖାଦ୍ୟ ପ୍ରାବଲ୍ୟର ଶିକାର ହେବାରେ ଲାଗିଛନ୍ତି। ଫଳସ୍ୱରୂପ ଆମେରିକା ଓ ଚୀନ୍‌ ପଛକୁ ଭାରତରେ ତୃତୀୟ ସର୍ବାଧିକ ପୃଥୁଳକାୟ ଶିଶୁ ରହିଛନ୍ତି। ତେବେ ଏଭଳି ଅପପୁଷ୍ଟି ପାଇଁ କେବଳ ଖାଦ୍ୟଗ୍ରହଣକୁ ଦାୟୀ କରାଯାଇନାହିଁ। ଏଥିପାଇଁ ଶିକ୍ଷା, ଯତ୍ନ, ପରିମଳ ଏବଂ ମହିଳା ସଶକ୍ତୀକରଣ ଆଦି ବଷୟ ମଧ୍ୟ ଏହି ସମସ୍ୟା ସୃଷ୍ଟି ପାଇଁ ପରୋକ୍ଷରେ ଦାୟୀ। ତେବେ ଏ ପ୍ରକାର ସାମାଜିକ ଏବଂ ସ୍ୱାସ୍ଥ୍ୟଗତ ଅସନ୍ତୁଳନ ଦୂର କରିବା ଲାଗି ଶିକ୍ଷା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର