ଅଧିକାଂଶ ଭାରତୀୟ ଅଦାଲତ ଆସିବାକୁ ଅସମର୍ଥ: ପ୍ରଧାନ ବିଚାରପତି

ବିଚାରାଧୀନ ବନ୍ଦୀଙ୍କ ମୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଖୁବ୍‌ କମ୍‌ ଲୋକ ଅଦାଲତ ଆସିପାରୁଛନ୍ତି। ଅଧିକାଂଶ ଲୋକ ନ୍ୟାୟାଳୟ ଆସିବାପାଇଁ ଅସମର୍ଥ। ସଚେତନତା ଏବଂ ଆବଶ୍ୟକ ସମ୍ବଳ ଅଭାବରୁ ଅଧିକାଂଶ ଭାରତୀୟ ନ୍ୟାୟ ନପାଇ ନିରବରେ ଯନ୍ତ୍ରଣା ଭୋଗୁଛନ୍ତି। ପ୍ରଧାନ ବିଚାରପତି ଏନ୍‌ଭି ରମଣା ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, ସାମାଜିକ, ଆର୍ଥିକ ଏବଂ ରାଜନୈତିକ ନ୍ୟାୟ ସୁନିଶ୍ଚିତ କରିବାକୁ ସମ୍ବିଧାନର ମୁଖବନ୍ଧ ପ୍ରତି ଭାରତୀୟଙ୍କୁ ପ୍ରତିଶ୍ରୁତି ଦେଇଛି। କିନ୍ତୁ ବାସ୍ତବତା ହେଉଛି ଆମ ଜନସଂଖ୍ୟାର ଅତି କମ୍‌ ପ୍ରତିଶତ କେବଳ ନ୍ୟାୟ ବିତରଣ ବ୍ୟବସ୍ଥାକୁ ଯାଇ ପାରୁଛନ୍ତି। ଜଷ୍ଟିସ୍‌ ରମଣା ଆଜି ଦିଲ୍ଲୀରେ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲ୍‌ସା) ଦ୍ବାରା ଆୟୋଜିତ ପ୍ରଥମ ସର୍ବ ଭାରତୀୟ ଜିଲ୍ଲା ନ୍ୟାୟିକ ସେବା ବୈଠକରେ ଯୋଗ ଦେବା ଅବସରରେ ଏହା କହିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ। ଆଇନଗତ ସହାୟତାକୁ ଅପେକ୍ଷା କରି ଜେଲରେ ଥିବା ବିଚାରାଧୀନ କଏଦୀଙ୍କୁ ମୁକ୍ତ କରିବା ପ୍ରକ୍ରିୟା ତ୍ବରାନ୍ବିତ କରିବା ନିମନ୍ତେ ମୋଦୀ ଏହି କାର୍ଯ୍ୟକ୍ରମରେ କହିଥିଲେ। ପ୍ରଧାନ ବିଚାରପତି କହିଛନ୍ତି, ସମାଜରେ ଥିବା ପାର୍ଥକ୍ୟକୁ ଦୂର କରିବା ଲକ୍ଷ୍ୟରେ ଆଧୁନିକ ଭାରତ ନିର୍ମାଣ କରାଯାଇଥିଲା। ଗଣତନ୍ତ୍ର‌‌ରେ ସମସ୍ତ ନାଗରିକଙ୍କ ଅଂଶଗ୍ରହଣ ଆବଶ୍ୟକ ଥାଏ। ତେବେ ସାମାଜିକ ନ୍ୟାୟ ବିନା ଏଭଳି ସ୍ଥିତି ସମ୍ଭବ ନୁହେଁ। ଆଇନଗତ ସହାୟତା ଯୋଗାଇବା ଏବଂ ବିଚାରାଧୀନ କଏଦୀଙ୍କୁ ମୁକ୍ତ କରିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ମତାମତକୁ ଅନୁଧ୍ୟାନ କରି ପ୍ରଧାନ ବିଚାରପତି କହିଛନ୍ତି, ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ଦେଶରେ ବିଚାରାଧୀନ କଏଦୀଙ୍କ ସ୍ଥିତି ସଂକ୍ରାନ୍ତରେ ଆଇନ ସେବା କର୍ତ୍ତୃପକ୍ଷମାନଙ୍କର ସକ୍ରିୟ ବିଚାରବିମର୍ଶ ଏବଂ ହସ୍ତକ୍ଷେପର ଆବଶ୍ୟକତା ରହିଛି।

ପ୍ରଧାନ ବିଚାରପତି ଜିଲ୍ଲା ନ୍ୟାୟପାଳିକାକୁ ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ନ୍ୟାୟ ବିତରଣ ବ୍ୟବସ୍ଥାର ମେରୁଦଣ୍ଡ ବୋଲି କହିଛନ୍ତି। ସିଜେଆ‌ଇ କହିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଜିଲ୍ଲା ନ୍ୟାୟପାଳିକା ହେଉଛି ଭାରତରେ ଆଇନ ସହାୟତା ଆନ୍ଦୋଳନର ଏକ ପ୍ରମୁଖ ମାଧ୍ୟମ। ନ୍ୟାୟପାଳିକା ସଂକ୍ରାନ୍ତରେ ଜନମତ ମୁଖ୍ୟତଃ ଜିଲ୍ଲା ନ୍ୟାୟପାଳିକା ସହିତ ସେମାନଙ୍କ ଅଭିଜ୍ଞତା ଉପରେ ଆଧାରିତ। ଏହା ଜିଲ୍ଲା ନ୍ୟାୟପାଳିକା ଉପରେ ଏକ ବଡ ଦାୟିତ୍ବ ଅଟେ। ଲୋକଙ୍କ ସମସ୍ୟା ତଥା ସାମାଜିକ ସମସ୍ୟା ବୁଝିବାପାଇଁ ଏହା ସର୍ବୋତ୍ତମ ସ୍ଥାନ। ଜଷ୍ଟିସ ରମଣା ଏହି କାର୍ଯ୍ୟକ୍ରମରେ ନାଲ୍‌ସା ଦ୍ବାରା ପ୍ରଦତ୍ତ ସେବାକୁ ପ୍ରଶଂସା କରିଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ନାଲ୍‌ସା ୭୦ ପ୍ରତିଶତ ଜନସଂଖ୍ୟାଙ୍କୁ ମାଗଣା ନ୍ୟାୟ ସୁବିଧା ଦେବା ପାଇଁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର