ସବୁଠି ସଂକ୍ରମଣ କମୁଛି: କେବଳ କେରଳ, ମିଜୋରାମରେ ବଢ଼ୁଛି

୧.୭୨ ଲକ୍ଷ ନୂଆ ମାମଲା: ଆରୋଗ୍ୟ ହାର ୯୫.୧୪%

ନୂଆଦିଲ୍ଲୀ : ଦେଶବ୍ୟାପୀ ସବୁଠି ସଂକ୍ରମଣ କମୁଛି। କର୍ଣ୍ଣାଟକ, ମହାରା‌ଷ୍ଟ୍ର, ତାମିଲନାଡ଼ୁ ସମେତ ୩୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମଣ ଏବଂ ପଜିଟିଭ୍‌ ହାର କମୁଛି। କେବଳ କେରଳ, ମି‌ଜୋରାମରେ ସଂକ୍ରମଣ ବଢ଼ୁଛି। କେରଳରେ ଏବେ ବି ସଂକ୍ରମଣ ମାମଲା ୫୦ ହଜାର ଉପରେ ରହୁଛି। ଦେଶରେ ସକ୍ରିୟ ମାମଲାର ୨୪ ପ୍ରତିଶତ କେବଳ କେରଳରୁ ଚିହ୍ନଟ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, ସଂକ୍ରମଣ ମାମଲା ଏବଂ ‌ଦୈନିକ ପଜିଟିଭ୍‌ ମାମଲା ଲଗାତାର କମିବାରୁ ଜଣାପଡ଼ୁଛି ଯେ, ସଂକ୍ରମଣ ହାର କମୁଛି। ଦେଶରେ ମୃତ୍ୟୁହାର କମୁଛି ଏବଂ କୋଭିଡ୍‌ ଟିକାକରଣ ବଢ଼ୁଛି। ଦେଶରେ ୨୯୭ ଜିଲ୍ଲାରେ ଏବେ କୋଭିଡ୍‌ ପଜିଟିଭ୍‌ ହାର ୧୦ ପ୍ରତିଶତ ଉପରେ ରହୁଛି। ୧୬୯ଟି ଜିଲ୍ଲାରେ ପଜିଟିଭ୍‌ ହାର ୫-୧୦ ପ୍ରତିଶତ ରହୁଛି। ଲବ ଅଗ୍ରୱାଲ୍‌ କହିଛନ୍ତି, ତୃତୀୟ ଲହରରେ ଗଳା ସଂକ୍ରମଣ କରୋନାର ଏକ ସାଧାରଣ ଲକ୍ଷଣ। ଚଳିତ ଲହରରେ ୪୪ରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତି ଅଧିକ ସଂକ୍ରମିତ ହୋଇଛନ୍ତି। ୧୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଶତ ପ୍ରତିଶତ ପ୍ରଥମ ‌ଡୋଜ୍‌ ଟିକାକରଣ ସରିଥିବା ବେଳେ ୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୯୬-୯୯ ପ୍ରତିଶତ ଟିକାକରଣ ହୋଇଛି। ମୋଟ୍‌ ୭୬ ପ୍ରତିଶତ ଲୋକ ୨ଟି ଡୋଜ୍‌ ଦେଇଛନ୍ତି। ୧୫-୧୮ ବର୍ଷ ମଧ୍ୟରେ ୬୫ ପ୍ରତିଶତ ପିଲା ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି।

୧.୭୨ ଲକ୍ଷ ନୂଆ ମାମଲା: ଆରୋଗ୍ୟ ହାର ୯୫.୧୪%
ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୧,୭୨,୪୩୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୦୦୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗତକାଲି ତୁଳନାରେ ସଂକ୍ରମଣ ମାମଲାରେ ୬.୮୪ ପ୍ରତିଶତ ବୃଦ୍ଧି ହୋଇଛି। ଦେଶରେ ମୋଟ୍‌ କରୋନା ମୃତ୍ୟୁସଂଖ୍ୟା ୪,୯୮,୯୮୩ ରହିଥିବା ବେଳେ ସକ୍ରିୟ ମାମଲା ୧୫,୩୩,୯୨୧ ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୩.୬୭ ପ୍ରତିଶତ। ଗତ ୨୪ ଘଣ୍ଟାରେ ୨,୫୯,୧୦୭ ଜଣ କରୋନାରୁ ସୁସ୍ଥ ହେବା ସହ ଦେଶରେ ମୋଟ୍‌ ଆରୋଗ୍ୟ ହାର ୯୫.୧୪ ପ୍ରତିଶତକୁ ବୃଦ୍ଧି ପାଇଛି। ମୋଟ୍‌ ୩,୯୭,୭୦,୪୧୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଦୈନିକ ପଜିଟିଭ୍‌ ହାର ୧୦.୯୯ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୧୨.୯୮ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୫,୬୯,୪୪୯ କ‌ରୋନା ଟେଷ୍ଟ୍‌ କରାଯାଇଛି। ଦେଶରେ ମୋଟ୍‌ ଟେଷ୍ଟିଂ ସଂଖ୍ୟା ୭୩.୪୧ କୋଟି ରହିଛି। ଟିକାକରଣ ୧୬୭.୮୭ କୋଟି ଅତିକ୍ରମ କରିଛି। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୩,୦୨୮ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ମୁମ୍ବାଇରେ ବୁଧବାର ଦିନ ୧୦୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଛି । ମୁମ୍ବାଇରେ ୧୧,୨୮ ନୂଆ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ସଂକ୍ରମଣ ମାମଲା ୪୦ ପ୍ରତିଶତ ଅଧିକ ରହିଛି।

ସମ୍ବନ୍ଧିତ ଖବର