ନୂଆଦିଲ୍ଲୀ : ଭାରତରେ ଅଧିକାଂଶ ଲୋକ କୋଭିଡ୍ର ‘ଓମିକ୍ରନ୍’ ପ୍ରଜାତି କବଳରୁ ସୁରକ୍ଷା ପାଇପାରିବେ। ଭୟ କରିବାର କୌଣସି ଆବଶ୍ୟକ ନାହିଁ ବୋଲି ପ୍ରଖ୍ୟାତ ଭୂତାଣୁ ବିଜ୍ଞାନୀ ଡାକ୍ତର ସାହିଦ ଜମିଲ ଆଜି କହିଛନ୍ତି। ଭାରତର କୋଭିଡ୍ ଉପଦେଷ୍ଟା ଗୋଷ୍ଠୀର ମୁଖ୍ୟ ଜମିଲ କହିଛନ୍ତି, ଲୋକମାନେ ସତର୍କ ରହିବା ସହ ମାସ୍କ ପିନ୍ଧିବା ଉଚିତ।
ପୂର୍ବ ଭଳି ସତର୍କତା ଅବଲମ୍ବନ କଲେ ନୂଆ ପ୍ରଜାତି ବିଶେଷ କ୍ଷତି କରିପାରିବ ନାହିଁ। ଡେଲ୍ଟା ପ୍ରଜାତି ପାଇଁ ଭାରତର ଦ୍ବିତୀୟ ଲହର ଖୁବ୍ ବଡ଼ ଥିଲା। ଏହା ବହୁତ ଲୋକଙ୍କୁ ସଂକ୍ରମିତ କରିଥିଲା। ଚତୁର୍ଥ ଜାତୀୟ ସେରୋ ସର୍ଭେରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା। ଚତୁର୍ଥ ସେରୋ ସର୍ଭେରେ ଜଣାପଡ଼ିଥିଲା ଯେ, ଦେଶରେ ୬୭ ପ୍ରତିଶତ ଲୋକଙ୍କ ଶରୀରରେ କୋଭିଡ୍ ଆଣ୍ଟିବଡି ରହିଛି।
ଏବେ ପୁଣି ନିକଟରେ ହୋଇଥିବା ସର୍ଭେରେ ଦିଲ୍ଲୀରେ ୯୦ ପ୍ରତିଶତ ଏବଂ ମୁମ୍ବାଇରେ ୮୫-୯୦ ପ୍ରତିଶତ ଲୋକଙ୍କ ଶରୀରରେ କୋଭିଡ୍ ଏଣ୍ଟିବଡି ଥିବା ଜଣାପଡ଼ିଛି। ଜମିଲ କହିଛନ୍ତି, ଏହି ତଥ୍ୟରୁ ଜଣାପଡ଼ୁଛି ଯେ ଦେଶରେ ବହୁ ସଂଖ୍ୟାରେ ଲୋକେ କରୋନା କବଳରୁ ସୁରକ୍ଷା ପାଇପାରିବେ। ଜମିଲ କହିଛନ୍ତି, ନୂଆ ପ୍ରଜାତି ସଂକ୍ରାନ୍ତରେ ଆଗକୁ ଆହୁରି ଅଧିକ ତଥ୍ୟ ଆସିବ। କିନ୍ତୁ ଟିକାର ଫଳପ୍ରଦତା କିଛି ମାତ୍ରାରେ କମିଲେ ବି ଏହା ସମ୍ପୂର୍ଣ୍ଣ ମୂଲ୍ୟହୀନ ହୋଇଯିବ ନାହିଁ ବୋଲି ସେ କହିଛନ୍ତି।